ଖୋର୍ଦ୍ଧା: କୁହାଯାଏ ଦୁଃଖ ଯେତେବେଳେ ଆସେ ସାଙ୍ଗ ସାଥି ନେଇ ଆସେ । ଏବେ ସେହି ଦୁଃଖର କଳା ବାଦଲ ଯେମିତି ଛିଣ୍ଡି ପଡିଛି ଟୁକୁଦତ୍ତ ସାମନ୍ତସିଂହାରଙ୍କ ପରିବାର ଉପରେ । ୫ ପ୍ରାଣୀ କୁଟୁମ୍ଭକୁ ନେଇ ପରିବାର । ଗୋଟିଏ ପୁଅ, ଦୁଇ ଝିଅ ଓ ସ୍ତ୍ରୀଙ୍କୁ ନେଇ ବେଶ ହସ ଖୁସିରେ ଚାଲିଥିଲା ସଂସାର । କିନ୍ତୁ ଏବେ ସେହି ସୁଖି ପରିବାରରେ ଯେମିତି କାହାର ନଜର ଲାଗିଯାଇଛି । ଯେଉଁ ବୟସରେ ବାପା ମାଆଙ୍କ ସେବା ପିଲା ମାନେ କରିବା କଥା ଆଜି ସେହି ବୟସରେ ବାପା ମାଆଙ୍କ କାନ୍ଧରେ ପିଲାଙ୍କ ବୋଝ । ସବୁଠାରୁ ଦୁଃଖର ବିଷୟ ହେଉଛି ଟୁକୁ ଦତ୍ତଙ୍କ ତିନି ସନ୍ତାନ ଏବେ ଅଜଣା ରୋଗରେ ଜର୍ଜରିତ । କିନ୍ତୁ ପିଲାଙ୍କୁ ଭଲ କରିବାକୁ ଏବେ ପାଖରେ ଅର୍ଥ ନାହିଁ ।
ଖୋର୍ଦ୍ଧା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଓଗାଳପୁର ଗ୍ରାମରେ ଟୁକୁଦତ୍ତ ସାମନ୍ତସିଂହାରଙ୍କ ଘର । ସ୍ତ୍ରୀ ମମତାମୟୀ ସାମନ୍ତସିଂହାର, ତିନି ସନ୍ତାନ ହେଉଛନ୍ତି ପୁଅ ବିଶ୍ୱରଞ୍ଜନ, ଦୁଇ ଝିଅ ଡେଜି ଓ ଚିକୁନ । ପୁଅ ବିଶ୍ୱରଞ୍ଜନ ଅନ୍ୟ ପିଲାଙ୍କ ପରି ସାଙ୍ଗହୋଇ ସ୍କୁଲ ଯିବା ସହ ଖେଳକୁଦ ମଧ୍ୟ କରୁଥିଲା । ହେଲେ ବିଶ୍ୱରଞ୍ଜନ ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ ଧିରେ ଧିରେ ଆଖି ତଳେ ଏକ କଳା ଦାଗ ଦିଶିଲା, ଖନେଇ ଖନେଇ କଥା ହେଲା । ତାପରେ ସେ ଦୁର୍ବଳ ହେବା ସହ ଆଉ ଚାଲିପାରିଲେ ନାହିଁ କି କଥାବାର୍ତ୍ତା ମଧ୍ୟ କରି ପାରୁନାହିଁ । ଦିନେ ଚଳ ଚଞ୍ଚଳ ଥିବା ବିଶ୍ୱରଞ୍ଜନ ଚାଲିବୁଲି ପାରୁନାହିଁ । ଏପରିକି ସାଧାରଣ ନିତ୍ୟକର୍ମ ମଧ୍ୟ କରି ପାରୁନାହିଁ । ଶଯ୍ୟାଶାୟୀ ହୋଇ ଯାଇଛି ଘରର ଭେଣ୍ଡାପୁଅ ।
ବିଶ୍ୱରଞ୍ଜନ ଶଯ୍ୟାଶାୟୀ ହେବାର ଦୁଇ ବର୍ଷ ପରେ ବଡ଼ ଝିଅ ଡେଜି ମଧ୍ୟ ଅସୁସ୍ଥ ହୋଇ ପଡିଲା । ଡେଜି +୩ କଳା ଦ୍ବିତୀୟ ବର୍ଷ ପଢ଼ୁଥିବା ବେଳେ ପୁଅ ବିଶ୍ୱରଞ୍ଜନ ପରି ହଠାତ୍ ଶରୀର କଳାପଡି ଯାଇଥିଲା । ତାପରେ ଆଉ ଚାଲିବୁଲି ପାରିଲା ନହିଁ କି କଥାବାର୍ତ୍ତା ମଧ୍ୟ କରି ପାରୁନାହିଁ । ପୁଅ ବିଶ୍ବରଞ୍ଜନ ପରି ତାର ଅବସ୍ଥା ହେଇଯାଇଛି । ଆଉ ଏବେ ସାନ ଝିଅ ଚିକୁନ ଦଶମ ଶ୍ରେଣୀ ପଢିବା ପର୍ଯ୍ୟନ୍ତ ଭଲରେ ଚାଲବୁଲ କରୁଥିଲା । ଏବେ ସେ ବଡ ଭାଇଭଉଣୀଙ୍କ ପରି ଅଜଣା ରୋଗରେ ଆକ୍ରାନ୍ତ ହେବା ଆରମ୍ଭ ହେଲାଣି । ଖେଳକୁଦ ପଢିବା ବୟସରେ ଦେଖୁ ଦେଖୁ ତିନି ତିନିଟା ପିଲା ଅକର୍ମଣ୍ୟ ହୋଇ ଶଯ୍ୟାଶାୟୀ ହୋଇଗଲେ । ତିନି ପିଲାଙ୍କ ଅବସ୍ଥା ଏମିତି ହୋଇଛି ଯେ, କୁଆଡେ ଯିବାତ ଦୂରର କଥା ଦାନ୍ତ ଘଷିବା ପାଇଁ ଲୋଡା ପଡ଼େ ଅନ୍ୟର ସାହାରା । ଫଳରେ ତିନି ପିଲାଙ୍କ ସେବାରେ ଦିନରାତି ଲାଗିପଡିଛନ୍ତି ବାପା ମାଆ । ତିନି ସନ୍ତାନଙ୍କୁ ଅଜଣା ରୋଗ ଯୋଗୁଁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ବଢିଲା ପୁଅଝିଅଙ୍କ ଅବସ୍ଥା ଯେକେହି ଦେଖୁଛି ଆଖିର ଲୁହକୁ ରୋକି ପାରୁନାହିଁ । ଟୁକୁଦତ୍ତଙ୍କ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ଼ ଚିଣ୍ଡି ପଡ଼ିଛି ।