ଓଡିଶା

odisha

ପିକନିକ ପାଇଁ ଏସଓପି ଜାରି, ଗାଡି ମାଲିକଙ୍କୁ ନେବାକୁ ପଡିବ ଆରଟିଓଙ୍କ ଅନୁମତି

By ETV Bharat Odisha Team

Published : Jan 2, 2024, 7:02 AM IST

SOP For Picnic: ପିକନିକ ପାଇଁ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପରିବହନ ବିଭାଗ । ଦୁର୍ଘଟଣା ରୋକିବା ମାର୍ଗଦର୍ଶିକାର ମୁଖ୍ୟ ଉଦ୍ଦେଶ୍ୟ । ଯାନ ମାଲିକଙ୍କୁ ପିକନିକ ପାଇଁ ଆରଟିଓଙ୍କ ଅନୁମତି ନେବାକୁ ନିର୍ଦ୍ଦେଶ । ନିୟମ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ପିକନିକ ପାଇଁ ଏସଓପି ଜାରି
Picnic SOP

ଭୁବନେଶ୍ବର: ପର୍ଯ୍ୟଟନ ଋତୁରେ ଜମୁଛି ପିକନିକର ଆସର । ପିକିନିକ ଯିବା ସମୟରେ ଘଟୁଛି ଦୁର୍ଘଟଣା । ପର୍ଯ୍ୟଟନ ଋତୁରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ପିକନିକ ପାଇଁ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପରିବହନ ବିଭାଗ । ଦୁର୍ଘଟଣା ରୋକିବା ମାର୍ଗଦର୍ଶିକାର ମୁଖ୍ୟ ଉଦ୍ଦେଶ୍ୟ । ଏଥର ଗାଡି ମାଲିକଙ୍କୁ ପିକନିକ ପାଇଁ ଆରଟିଓଙ୍କ ଅନୁମତି ନେବାକୁ ପଡିବ । ନହେଲେ ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କେହି ମଦ୍ୟପାନ କରି ଗାଡି ଚଳାଇବା ସମୟରେ ଧରାପଡନ୍ତି ତେବେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ । ସେହିପରି ପ୍ରତି ପିକନିକ ସ୍ପଟରେ ପରିବହନ କର୍ମଚାରୀ ରହିବେ ଓ ଯାନବାହନ ଗୁଡ଼ିକର ଫିଟନେସ ଯାଞ୍ଚ କରାଯିବ ।

ରାଜ୍ୟରେ ବର୍ଷକୁ ଯେତିକି ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି ତାହାର ୧୮ରୁ ୨୬ ପ୍ରତିଶତ କେବଳ ପର୍ଯ୍ୟଟନ ଋତୁରେ ଘଟୁଛି । ବିଶେଷକରି ଡିସେମ୍ବର ଓ ଜାନୁଆରୀ ମାସରେ ପରିଲକ୍ଷିତ ହେଉଛି । ଗତ ଚାରିବର୍ଷର ଦୁର୍ଘଟଣା ତଥ୍ୟରୁ ଏହା ପରିଲକ୍ଷିତ ହେଉଛି । ସରକାରୀ ସୂଚନା ଅନୁଯାୟୀ ୨୦୨୧ ବର୍ଷରେ ରାଜ୍ୟରେ ୧୦ ହଜାରରୁ ଅଧିକ ଦୁର୍ଘଟଣା ଘଟି ୫୦୮୧ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୨୨ରେ ଦୁର୍ଘଟଣା ସଂଖ୍ୟା ୧୧ ହଜାରକୁ ଟପିବା ସହିତ ମୃତ୍ୟୁସଂଖ୍ୟା ୫୪୬୭ରେ ପହଞ୍ଚିଥିଲା । ତେବେ ୨୦୨୧ରେ କେବଳ ଡିସେମ୍ବର ଓ ଜାନୁଆରୀ ମାସରେ ବିଭିନ୍ନ ସଡକ ଦୁର୍ଘଟଣାରେ ୧୦୩୧ ଜଣ ପ୍ରାଣ ହରାଇଛନ୍ତି । ଯାହାକି ମୋଟ ସଡକ ଦୁର୍ଘଟଣା ମୃତ୍ୟୁର ୨୬ ପ୍ରତିଶତ ।

ଏହା ମଧ୍ୟ ପଢନ୍ତୁ-ଖଣ୍ଡାଧାରର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ସହ ନୂଆବର୍ଷରେ ଜମୁଛି ପିକନିକ୍ ମଜା


ଯଦିଓ ୨୦୨୨ରେ ଏହି ଦୁଇ ମାସରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୯୯୧କୁ ହ୍ରାସ ପାଇଥିଲା ତେବେ ଏହା ମୋଟ ଦୁର୍ଘଟଣା ଜନିତ ମୃତ୍ୟୁର ୧୮ ପ୍ରତିଶତ ରହିଥିଲା । ସେହିଭଳି ୨୦୧୯ରେ ଏହି ଦୁଇ ମାସରେ ୧୦୦୮ ଜଣ ଦୁର୍ଘଟଣାରେ ଆଖି ବୁଜିଥିବା ବେଳେ ୨୦୨୦ରେ ଏହା ୧୧୦୦ ରହିଥିଲା । ଏହି ଦୁଇ ବର୍ଷର ଦୁର୍ଘଟଣା ମୃତ୍ୟୁ ମୋଟ ମୃତ୍ୟୁସଂଖ୍ୟାର ଯଥାକ୍ରମେ ୧୯ ଓ ୨୩ ପ୍ରତିଶତ ରହିଥିଲା ।

ପରିବହନ ବିଭାଗ ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ରାଜ୍ୟରେ ନଭେମ୍ବରରୁ ଫେବୃୟାରୀ ମାସ ମଧ୍ୟରେ ପିକନିକ ଋତୁ ଜାରି ରହୁଛି । ଏହି ସମୟରେ ସଡକ ଦର୍ଘଟଣା ବୃଦ୍ଧି ପାଇବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । ଏହାକୁ ରୋକିବା ପାଇଁ ବିଭାଗ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ଓ ଧର୍ମପୀଠ ନିକଟରେ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି । ଏହିସବୁ ସ୍ଥାନରେ ପର୍ଯ୍ୟଟକମାନେ ସଡକରେ ଗହଳି କରିବା ସହିତ ପାର୍କିଂ ସ୍ଥାନରେ ଗହଳି କରୁଛନ୍ତି ଯାହା କି ଦୁର୍ଘଟଣାର ପ୍ରମୁଖ କାରଣ ପାଲଟୁଛି ।

ସାରା ରାଜ୍ୟରେ ଏବେ ଚାଲିଛି ପିକନିକ ଋତୁ । ବିଭିନ୍ନ ସ୍ଥାନକୁ ପରିଭ୍ରମଣରେ ଯାଉଛନ୍ତି ବହୁ ଲୋକ । ତେବେ ଏହି ପିକନିକ ପାଇଁ ଏସଓପି ଜାରି କରିଛି ରାଜ୍ୟ ପରିବହନ ବିଭାଗ । ପିକନିକ ସମୟରେ ଦୁର୍ଘଟଣା ରୋକିବା ମାର୍ଗଦର୍ଶିକାର ମୁଖ୍ୟ ଉଦ୍ଦେଶ୍ୟ । ଯଦି ଆପଣ ପିକନିକରେ ଯାଉଛନ୍ତି ତେବେ ଏହି ମାର୍ଗଦର୍ଶିକା ବାବଦରେ ସ୍ପଷ୍ଟ ଭାବେ ଜାଣିବା ଆବଶ୍ୟକ ରହିଛି । ପରିବହନ ବିଭାଗ ଏସଓପି ଅନୁସାରେ ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯାଇ ଲାଇସେନ୍ସ ବାତିଲ କରାଯିବ ।

ଦୂର ଯାତ୍ରାକୁ ପିକନିକ ପାଇଁ ଗଲେ ଆସିଷ୍ଟାଣ୍ଟ ରଖିବାକୁ ପରାମର୍ଶ ଦିଆଯାଇଛି । ପିକନିକ ଯାତ୍ରା ପାଇଁ ଯାନବାହନ ମାଲିକମାନଙ୍କୁ ସମ୍ପୃକ୍ତ ଆରଟିଓରୁ ସ୍ୱତନ୍ତ୍ର ଅନୁମତି ନେବା ଦରକାର । ପ୍ରତ୍ୟେକ ପିକନିକ ସ୍ପଟ ନିକଟରେ ପରିବହନ ବିଭାଗ କର୍ମଚାରୀ ନିୟୋଜିତ ରହିବେ । ଯେଉଁ ଯାନଗୁଡ଼ିକର ଫିଟନେସ ସାର୍ଟିଫିକେଟ ବଳବତ୍ତର ଥିବ, ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ପିକନିକ ପାଇଁ ଅନୁମତି ମିଳିବ ।

ପ୍ରମୁଖ ପିକନିକ ସ୍ପଟଗୁଡିକରେ ଦୁର୍ଘଟଣା ଜନିତ ସଚେତନତା କରାଯିବ । ବିପଦଜନକ ବା ଆପତ୍ତିଜନକ ସାମଗ୍ରୀର ପରିବହନ ରୋକିବା ପାଇଁ ପିକନିକ ସ୍ପଟ ବା ତୀର୍ଥ ସ୍ଥାନଗୁଡିକ ନିକଟରେ ପୋଲିସ ଯାନଗୁଡିକର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ । ଓଭରଲୋଡିଂ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରିବହନ ବିଭାଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ସହଯୋଗ କରିବ । ପିକନିକ ସ୍ପଟଗୁଡିକରେ ସଡକ ସୁରକ୍ଷା ବାର୍ତ୍ତା ଏବଂ ପ୍ରଶଂସାପତ୍ର, ସଡ଼କ ଦୁର୍ଘଟଣା ପୀଡିତଙ୍କ ପରିବାରର ଆବେଦନପତ୍ର ଲିଫଲେଟ, ପାମ୍ପଲେଟ ବଣ୍ଟନ କରିବ ।

ଏଭଳି ପୋଷ୍ଟର ରାଜ୍ୟ ପରିବହନ କମିଶନର ଜିଲ୍ଲାଗୁଡିକୁ ଯୋଗାଇ ଦେବେ । ଏହାଛଡା ଅନ୍ୟାନ୍ୟ ସ୍ଥାନ ଯେଭଳି କି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ପିକନିକ ସ୍ଥଳୀରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଚଳାଇବା । ଏଥି ସହିତ ସ୍ଥାନୀୟ ଏନଜିଓଙ୍କ ସହାୟତାରେ ପର୍ଯ୍ୟଟନସ୍ଥଳୀରେ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details