ଭୁବନେଶ୍ବର:ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଆରମ୍ଭ ହୋଇଯାଇଛି ଭାରତୀୟ ଆର୍ଥିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ୨୦୨୩ ବ୍ୟାଚର ୫ ଜଣ ଭାରତୀୟ ଆର୍ଥିକ ସେବା ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ବିକାଶ ପ୍ରଶାସନ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ । ୬ ସପ୍ତାହ ଧରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ସୋମବାର ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ଏହାକୁ ଉଦଘାଟନ କରିଥିଲେ । ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଏହି ବ୍ୟାଚରେ ୪ ଜଣ ମହିଳା ଓ ଜଣେ ପୁରୁଷଙ୍କ ସମେତ ୫ ଜଣ ଆଇଇଏସ ଅଫିସର ପ୍ରଶିକ୍ଷାର୍ଥୀ ରହିଛନ୍ତି । ସେମାନେ ବିହାର, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରୁ ଆସିଛନ୍ତି । ଏହି ଆଇଇଏସ ଅଧିକାରୀମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କ୍ଷେତ୍ରସ୍ତରରେ ପ୍ରୋବେସନାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ । ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ ଅଳ୍ପ କିଛି ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ, ଆଇଇଏସ ପ୍ରୋବେସନରଙ୍କୁ ମୌଳିକ ତାଲିମ ଶେଷ ହେବା ପରେ ଏଭଳି ପ୍ରଶିକ୍ଷଣ ପାଇଁ ଚୟନ କରିଥାଏ ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ପ୍ରଶିକ୍ଷାର୍ଥୀମାନଙ୍କୁ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ପ୍ରଶିକ୍ଷଣ ଅନୁଷ୍ଠାନ ଗୋପବନ୍ଧୁ ଏକାଡେମୀକୁ ସ୍ୱାଗତ କରିଥିଲେ । ବିକାଶ କ୍ଷେତ୍ରରେ ପ୍ରଶାସନର ସହାୟକ ଭାବରେ ସଠିକ ମନୋଭାବ, ଦକ୍ଷତା ଏବଂ କୌଶଳ ସୃଷ୍ଟି କରିବା ଲକ୍ଷ୍ୟ ନେଇ ନୂତନ ପିଢ଼ିର ପ୍ରଶାସନିକ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏହି ଅନୁଷ୍ଠାନର ଦାୟିତ୍ୱ ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ, ପ୍ରଶାସନ ଏବଂ ଦୂରଦୃଷ୍ଟି ବଳରେ ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟ ସୁଶାସନ କ୍ଷେତ୍ରରେ କିଭଳି ଅଗ୍ରଗତି କରିଛି, ସେ ବିଷୟରେ ସେ ସଂକ୍ଷିପ୍ତ ଭାବରେ ଅବଗତ କରାଇଥିଲେ ରାଜ କୁମାର ଶର୍ମା। ଗତ ଦଶନ୍ଧି ମଧ୍ୟରେ ଜାତୀୟ ଅର୍ଥନୀତି ତୁଳନାରେ ଓଡ଼ିଶାର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି କରିଛି । ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟବସାୟ ପାଇଁ ସହଜ ଓ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ବୋଲି କହିଥିଲେ ରାଜ କୁମାର ଶର୍ମା ।
ଭାରତୀୟ ଆର୍ଥିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ ଆରମ୍ଭ - ଭାରତୀୟ ଆର୍ଥିକ ସେବା ଅଧିକାରୀ
ପ୍ରଶିକ୍ଷଣ ନେବାକୁ ଓଡିଶା ଆସିଛନ୍ତି ୨୦୨୩ ବ୍ୟାଚର ୫ ଜଣ ଭାରତୀୟ ଆର୍ଥିକ ସେବା ଅଧିକାରୀ । ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ବିକାଶ ପ୍ରଶାସନ ସଂପର୍କରେ ପ୍ରଶିକ୍ଷଣ ନେବେ । ଅଧିକ ପଢନ୍ତୁ
ସ୍ୱଚ୍ଛତା, ଟିମ୍ ୱାର୍କ, ଟେକ୍ନୋଲୋଜି ଏବଂ ସମୟାନୁସାରେ କାର୍ଯ୍ୟକରି ଶାସନରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ କରାଯାଉଥିବା ‘୫ଟି’ ମଡେଲ ବିଷୟରେ ମଧ୍ୟ ସେ ଅବଗତ କରାଇଥିଲେ । ଓଡ଼ିଶା ସରକାର 'ମୋ ସରକାର'ର କ୍ରୀୟାଶୀଳ ମତାମତ ବ୍ୟବସ୍ଥା ଜରିଆରେ ଲୋକାଭିମୁଖୀ ଶାସନ ସୁନିଶ୍ଚିତ କରିବାରେ ସକ୍ଷମ ହୋଇଛନ୍ତି । ଯାହାଦ୍ୱାରା ସରକାର ସିଧାସଳଖ ନାଗରିକଙ୍କ କଥା ଶୁଣିବା ସହ ଆବଶ୍ୟକ ସେବା ଯୋଗାଣକୁ ସୁନିଶ୍ଚିତ କରିବାକୁ ସକ୍ଷମ ହୋଇପାରୁଛନ୍ତି ।
୬ ସପ୍ତାହ ଧରି ପ୍ରଶିକ୍ଷଣ ମଡ୍ୟୁଲରେ ଇନ୍ଡୋର ଏକାଡେମିକ ଏବଂ ଆଉଟଡୋର ଏକ୍ସଟ୍ରା-ଏକାଡେମିକ ଅଧିବେଶନ ରହିଛି । ନିଜର ବୌଦ୍ଧିକ ଅନୁସନ୍ଧାନକୁ ସୁଦୃଢ କରିବା ସହିତ ପାଠ୍ୟକ୍ରମରେ ବିଭିନ୍ନ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ପଦ୍ଧତି ଓ ସମନ୍ୱୟ ଉପରେ ମଧ୍ୟ ଧ୍ୟାନ ଦିଆଯିବ । ଭାରତବର୍ଷର ଅଧିକାଂଶ ଜନସାଧାରଣ ଗ୍ରାମରେ ବସବାସ କରୁଥିବାରୁ ଗ୍ରାମସ୍ତରରେ ବିକାଶ ପାଇଁ ପ୍ରଶାସନ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶିକ୍ଷଣରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ବିଶେଷ କରି ରାଜ୍ୟର ଜନଜାତି ବହୁଳ ଜିଲ୍ଲାରେ ଏକାଧିକ ବିଭାଗ ଦ୍ୱାରା କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମଡେଲ ଗୁଡିକ ଦେଖିବାକୁ ମିଳିବ । ଆଉଟଡୋର କାର୍ଯ୍ୟକଳାପ ପାଇଁ ଏକାଡେମୀ କଳିଙ୍ଗ ଷ୍ଟାଡିୟମ ଏବଂ ଭୁବନେଶ୍ୱର କ୍ଲବ ସହ ସଂଯୋଗ କରାଯାଇଛି ।
ଉକ୍ତ ପ୍ରଶିକ୍ଷଣକୁ ସୁରୁଖୁରୁରେ ପରିଚାଳନା ପାଇଁ ଅଧିକାରୀଙ୍କୁ ସମସ୍ତ ସମ୍ଭବ ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ତଥା ପାଠ୍ୟକ୍ରମ ନିର୍ଦ୍ଦେଶକ ଡ. ହିମାଂଶୁ ଭୂଷଣ ପଣ୍ଡା ପ୍ରଶିକ୍ଷଣ ପାଠ୍ୟକ୍ରମ ସମ୍ପର୍କରେ ଅବଗତ କରାଇଛନ୍ତି । ଶେଷରେ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ଡାଇରେକ୍ଟର ଜେନେରାଲ ଡ. ପ୍ରତାପ କୁମାର ମିଶ୍ର, ଏକାଡେମୀର ଯୁଗ୍ମ କମିଶନର ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉପ ପାଠ୍ୟକ୍ରମ ସଂଯୋଜକ ଡଃ. ମମତା ରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର