ଭୁବନେଶ୍ବର:ବାହାନଗା ଟ୍ରେନ ଟ୍ରାଜେଡି । ସେହି ଭୟଙ୍କର ରେଳ ଦୁର୍ଘଟଣାରେ 288 ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ମୃତ୍ୟୁମୁଖରୁ ନୂଆ ଜୀବନ ପାଇଛନ୍ତି ଇଞ୍ଜିନିୟର ଦିଲୀପ କୁମାର ପଟ୍ଟନାୟକ। କରମଣ୍ଡଳ ଏକ୍ସପ୍ରେସ୍ର ଏସ 5 ବଗିରେ କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ତାଙ୍କ ସହ ଆଉ କିଛି ଜଣ ନିକଟସ୍ଥ ବନ୍ଧୁ ଯାତ୍ରା କରୁଥିଲେ। ପାଖାପାଖି 6 ଟା 30 ସମୟରେ ସେମାନେ ପରସ୍ପର ମଧ୍ୟରେ ଆଧ୍ୟାତ୍ମିକ ଆଳାପ କରୁଥିବାବେଳେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଏନେଇ ସେ ସମୟର ଅନୁଭୂତି ବଖାଣିଛନ୍ତି ଦିଲୀପ ପଟ୍ଟନାୟକ। ସେ କୁହନ୍ତି ଯେ, ଆଧ୍ୟାତ୍ମିକ ବାର୍ତ୍ତାଳାପ ଚାଲିଥିବା ବେଳେ ଭଲରେ ଭଲରେ ବାଲେଶ୍ଵର ଷ୍ଟେସନ ଟପିଲୁ। ସନ୍ଧ୍ୟା 6 ଟା 30ରେ ପ୍ରାର୍ଥନା ଆରମ୍ଭ କରିଥିଲୁ। ପ୍ରାର୍ଥନା ସରିବାର କିଛି ସମୟ ପରେ ହଠାତ ପ୍ରଚଣ୍ଡ ଶବ୍ଦ ହେଲା ଓ ଲାଗିଲା ଯେମିତି ଭୂମିକମ୍ପ ହେଲାଭଳି। ଏଇ ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଛାତି ଥରିଗଲା। ହଠାତ ବୁଝିପାରିଲୁନି କ’ଣ ହେଲା।
ତା’ପରେ ଆମ ଏସ 5 କମ୍ପାର୍ଟମେଣ୍ଟ ଧଡ଼କିନା ଉପରକୁ ଉଠିଗଲା ଏବଂ ପୁଣିଥରେ ତଳକୁ ଖସିଲା। ସମସ୍ତେ ବିକଳରେ ଚିତ୍କାର କରିଉଠିଲେ। ମୋ ପାଟିରୁ ବାହାରି ଆସିଥିଲା ହେ ଠାକୁର ବଞ୍ଚାଅ । ଏହି ଦୁର୍ଘଟଣା ବେଳେ ଆଉ ଏକ ବଗି ଉପରେ ଉପରମୁହାଁ ହୋଇ ରହିଗଲା ଆମ ବଗି । ଜିନିଷପତ୍ର ସବୁ ଅଜାଡ଼ି ହୋଇପଡ଼ିଲା ଆମ ଉପରେ। ସେଇ ଝଟକାରେ ଆମେ ଟ୍ରେନ ସିଟ ଓ ରେଲିଂ ସହ ପିଟି ହୋଇଗଲୁ। ଏହାପରେ ଜାଣିପାରିଲୁ କି ଦୁର୍ଘଟଣା ଘଟିଲା ।