ଭୁବନେଶ୍ବର: ରାଜଧାନୀରେ ଅନୈତିକ କାର୍ଯ୍ୟକଳାପ ରୋକିବା ପାଇଁ ଟ୍ରାଫିକ ପୋଲିସ ପ୍ରୟାସ ଆରମ୍ଭ କରିଛି । କଳାକାଚ ବ୍ୟହହାର କରୁଥିବା କାର ଗୁଡିକୁ ଅଟକ ରଖି କଳା ପରଦା ହଟାଇବା ସହ ନୂତନ ମୋଟରଯାନ ଆଇନ ଧାରା 177 ଅନୁଯାୟୀ ୫୦୦ଟଙ୍କା ଫାଇନ ଆଦାୟ କରାଯାଉଥିବା ସୂଚନା ମିଳିଛି ।
ପୂଜା ପାଇଁ ସହରରେ ଗହଳି ଯୋଗୁଁ ଅଧିକ ଅପରାଧମୂଳକ କାର୍ଯ୍ୟକଳାପ ବଢିବାର ସମ୍ଭାବନା ରହିଛି । ଏଣୁ ରାଜଧାନୀରେ ଟ୍ରାଫିକ ପୋଲିସ କଟକଣାକୁ ଜୋରଦାର କରିଛି । ରାଜଧାନୀର ବିଭିନ୍ନ ଛକରେ ଟ୍ରାଫିକ କର୍ମଚାରୀମାନେ ବିଶେଷ କରି ଏଭଳି ଟିଣ୍ଟେଡ ଗ୍ଲାସ ବ୍ୟବହାରକାରୀ କାର ଗୁଡିକୁ ଟାର୍ଗେଟ କରୁଛନ୍ତି। କାରଗୁଡିକୁ ଅଟକ ରଖାଯାଇ କଡା ଫାଇନ ଆଦାୟ କରାଯିବା ସହ ସେମାନଙ୍କ କାରର କଳାପରଦା ହଟାଯାଉଛି । ନୂତନ ମୋଟରଯାନ ଆଇନ ଧାରା 177 ଅନୁଯାୟୀ ପ୍ରତି କାର ଚାଳକଠାରୁ ୫୦୦ଟଙ୍କା ଲେଖାଏଁ ଫାଇନ ଆଦାୟ କରୁଛନ୍ତି ଟ୍ରାଫିକ କର୍ମଚାରୀ । ଗତ ଦୁଇଦିନ ଧରି 15ରୁ ଊର୍ଦ୍ଧ୍ବ କାରଠାରୁ ଫାଇନ ଆଦାୟ କରାଯାଇଥିବାବେଳେ ଦାମି କାର ମଧ୍ୟ ଏହାର ହାବୁଡରେ ପଡିଛନ୍ତି ।
ତେବେ 2012 ମେ 4ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏପରି ଟିଣ୍ଟେଡ ଗ୍ଲାସ ବ୍ୟବହାରକାରୀମାନେ କାରରେ ଅନୈତିକ କାର୍ଯ୍ୟକଳାପ ଯଥା ଅପହରଣ, ଯୁବତୀ ଚୋରାଚାଲାଣ, ଦୁଷ୍କର୍ମ ବା ଅସଦାଚରଣ ଭଳି ମାମଲା ଘଟିପାରେ । କାରରେ କଳା ପରଦା ଲାଗିଥିବା ଯୋଗୁଁ କାର ଭିତର ସ୍ପଷ୍ଟ ଭାବେ ଦେଖା ଯାଇନଥାଏ । ଫଳରେ ଏଭଳି ଅପରାଧୀଙ୍କ ଚେହେରା ଚିହ୍ନଟ କରିବାରେ ସମସ୍ୟା ଉପୁଜିପାରେ । ତେଣୁ ଏସବୁ ଅପରାଧକୁ ରୋକିବା ଦିଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।