ଭୁବନେଶ୍ବର: ଆସନ୍ତା ୨୩ ତାରିଖ ଅକ୍ଷୟ ତୃତୀୟାରେ ଶ୍ରୀ ଜୟଦେବ ଜୟନ୍ତୀ ଉତ୍ସବ ତିନି ଦିନ ଧରି ପାଳନ କରାଯିବ । ଏଥି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁମୋଦନ ଦିଆଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟସୂଚୀ ଅନୁମୋଦନ କରାଯାଇଛି ।
ଆସନ୍ତା ୨୩ ତାରିଖ ସକାଳ ୭ଟାରେ ଭୁବନେଶ୍ବରର ଅନନ୍ତ ବାସୁଦେବ ମନ୍ଦିର ନିକଟରୁ ସଂକୀର୍ତ୍ତନ ଦଳ ବାହାରି ଲିଙ୍ଗରାଜ ମନ୍ଦିର, ରାମଚନ୍ଦ୍ର ମିଶ୍ରଙ୍କ ମଠ, ନିଗମାନନ୍ଦଙ୍କ ମଠ ପରିକ୍ରମା କରି ବାଳକାଟି ମଦନମୋହନ ମନ୍ଦିର ଏବଂ ଶିଶୁଅନନ୍ତ ଆଶ୍ରମରେ ପହଞ୍ଚିବେ । ସେଠାରେ ମଧ୍ୟାହ୍ନ ବିରତି ପରେ ଏହି ଦଳ କେନ୍ଦୁଲି ଅଭିମୁଖେ ଯାତ୍ରା କରିବେ । ଉକ୍ତ ଦିନ ସଂଧ୍ୟା ୬ ରୁ ୮ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କଟକ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ସଂସ୍କୃତି ବିଭାଗଙ୍କ ଦ୍ବାରା ଉକ୍ତ କାର୍ଯ୍ୟକ୍ରମକୁ ଅନୁପାଳନ କରିବେ ।
ସେହିଭଳି ଏହା ପରଦିନ ଅର୍ଥାତ ୨୪ ତାରିଖ ସକାଳ ୭ରେ ସମୟରେ ଅଡସପୁର ବଜାରରୁ ପରିକ୍ରମା ବାହାରି ନିଆଳି ଶୋଭନେଶ୍ବର ମନ୍ଦିର ଦେଇ ନିଆଳି ମାଧବ ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରିବେ । ଉକ୍ତଦିନ ଅପରାହ୍ନ ୪ ଘଟିକା ସମୟରେ ପୁରୀର ଚାରି ଛକରେ ସଂକୀର୍ତ୍ତନ ଆରମ୍ଭ କରି କାକଟପୁର ବିଶ୍ବାମିତ୍ର ଆଶ୍ରମ ଦେଇ କାକଟପୁର ମଙ୍ଗଳା ମନ୍ଦିରଠାରେ ଉକ୍ତଦିନର ପରିକ୍ରମା ଶେଷ ହେବ । ଏହାପରେ ୨୫ ତାରିଖ ସକାଳ ୮ ରେ କୋଣାର୍କରୁ ସ୍ଥାନୀୟ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ବାରା ପରିକ୍ରମା ଆରମ୍ଭ ହେବ । ରାମଚଣ୍ଡୀ ମନ୍ଦିର ଏବଂ ବିଭିନ୍ନ ସ୍ଥାନରେ ସଂକୀର୍ତ୍ତନ ପରିବେଷଣ କରି ପୁରୀରେ ପହଞ୍ଚିବେ । ଉକ୍ତ ସନ୍ଧ୍ୟାରେ ବଡଦାଣ୍ଡରେ ସାଂସ୍କୃତିକ ସଭାରେ ତିନିଦିନ ବ୍ୟାପି ଏହି ପରିକ୍ରମାର ସମାପ୍ତି କରାଯିବ । ପୁରୀ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୁରୀରେ ସମସ୍ତ ଆୟୋଜନ କରାଯିବ ।