ଓଡିଶା

odisha

ETV Bharat / state

ନବଙ୍କଠୁ ନେଇ ଜଗବନ୍ଧୁ ଯାଏଁ ପ୍ରାଣାନ୍ତକ ଆକ୍ରମଣର ଶିକାର, କିଏ ବର୍ତ୍ତିଗଲା କିଏ ଚାଲିଗଲା

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଯେଉଁଠି ଜଣେ ମନ୍ତ୍ରୀ ସୁରକ୍ଷିତ ନୁହନ୍ତି ସେଠି ସାଧାରଣ ଲୋକଙ୍କ ସୁରକ୍ଷା ତ ବହୁ ଦୂରରେ । ଦିନ ଦ୍ବିପ୍ରହରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋରଙ୍କୁ ଯେଉଁଭଳି ଜଣେ ପୋଲିସ କର୍ମୀ ଗୁଳି କରିଛନ୍ତି ତାହା ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି । ନବ କିଶୋର ଦାସଙ୍କୁ ଗୁଳିମାଡ ଘଟଣା ଆଜି କିଛି ପୁରୁଣା ଘଟଣାକୁ ମନେ ପକାଇ ଦେଉଛି । ପୂର୍ବରୁ ମଧ୍ୟ ରାଜ୍ୟରେ ଅନେକ ନେତା ମନ୍ତ୍ରୀଙ୍କ ଉପରକୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା, ସେଥିରୁ କିଛି ବଞ୍ଚିଯାଇଥିଲେ ଆଉ କିଛି ଦୁନିଆ ଛାଡି ଚାଲିଛନ୍ତି। ଜାଣନ୍ତୁ ସେହି ଘଟଣା ବିଷୟରେ

Many leaders already been shot in Odisha
ନବଙ୍କଠୁ ନେଇ ଜଗବନ୍ଧୁଙ୍କ ଯାଏ ହୋଇଛନ୍ତି ଗୁଳିକାଣ୍ଡର ଶିକାର, କିଏ ବର୍ତ୍ତିଗଲା କିଏ ଚାଲିଗଲା

By

Published : Jan 30, 2023, 12:45 PM IST

Updated : Jan 30, 2023, 3:37 PM IST

ଭୁବେନଶ୍ବର:ରାଜ୍ୟଠୁ ନେଇ ଦେଶ ସ୍ତବ୍ଧ । ଏ କଣ ହୋଇଗଲା । ଜଣେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପୋଲିସ ସୁରକ୍ଷା ଭିତରେ ଗୁଳି କରି ହତ୍ୟା କରାଯାଇଛି । ସେ ପୁଣି ଜଣେ ପୋଲିସକର୍ମୀ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି । ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି ପୋଲିସକର୍ମୀ । ଖାକିରେ ଦାଗ ଲଗାଇଛନ୍ତି । ଏହି ଘଟଣାକୁ କେହି ଗ୍ରହଣ କରି ପାରୁନାହାନ୍ତି । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପୋଲିସକର୍ମୀ ଗୁଳି କରିଛନ୍ତି । ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ତାଙ୍କ ଛାତିକୁ ଗୁଳି କରିଥିଲେ ଜଣେ ପୋଲିସ ଏଏସଆଇ । ଏଥିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଏ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ଦେଶକୁ ଦୋହଲାଇ ଦେଇଛି । ଖାଲି ନବ କିଶୋର ନୁହେଁ ରାଜ୍ୟରେ ପୂର୍ବରୁ ମଧ୍ୟ ବହୁ ନେତାମନ୍ତ୍ରୀଙ୍କୁ ଆକ୍ରମଣ ହୋଇଥିଲା । କିଏ ଦୁନିଆ ଛାଡି ଚାଲିଯାଛନ୍ତି ତ ଆଉ କେହି ମୃୃତ୍ୟୁକୁ ମାତ ଦେଇ ବଞ୍ଚିଯାଇଥିଲେ । ନବ ଦାସଙ୍କ ସମେତ ରାଜ୍ୟରେ ପୂର୍ବରୁ ଆଉ 6 ଜଣ ନେତାଙ୍କୁ ଗୁଳିମାଡ ହୋଇଥିଲା । ନବ କିଶୋର ଦାସଙ୍କୁ ଗୁଳିମାଡ ଘଟଣା ଆଜି ସେହି ପୁରୁଣା ଘଟଣାକୁ ମନେ ପକାଇ ଦେଇଛି । ଜାଣନ୍ତୁ ପୂର୍ବରୁ ଘଟିଥିବା କିଛି ଗୁଳିମାଡ ଘଟଣା ବିଷୟରେ ।

ମହେଶ୍ବର ମହାନ୍ତି:-ପୁରୀ ବିଧାୟକ ଥିବାବେଳେ ମହେଶ୍ବର ମହାନ୍ତିଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା । ମହେଶ୍ବର ମହାନ୍ତି ଆଇନ ବିଭାଗ ମନ୍ତ୍ରୀ ସହ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଥିଲେ । 2014 ମସିହା ଫେବ୍ରୃଆରୀ 22 ତାରିଖରେ ତାଙ୍କ ଘରଠାରୁ କିଛି ବାଟ ଦୂରରେ ତାଙ୍କ ଉପରକ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ଏକ ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । 3 ରାଉଣ୍ଡ ଗୁଳିରୁ ଗୋଟିଏ ଗୁଳି ତାଙ୍କ ପେଟ ଓ ଅନ୍ୟଟି ଛାତିରେ ବାଜିଥିଲା । ଚିକିତ୍ସା ପରେ ମହେଶ୍ବର ମହାନ୍ତି ସୁସ୍ଥ ହୋଇଥିଲେ । ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଥିଲା । ଏହା ରାଜନୈତିକ ଶତ୍ରୁତା ପାଇଁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।

ସୁଦାମ ମାରାଣ୍ଡି:-ବର୍ତ୍ତମାନର ବରିଷ୍ଠ ବିଜେଡି ନେତାଙ୍କୁ ସୁଦାମ ମାରଣ୍ଡି ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଜେଏମଏମ ଦଳରେ ଥିବା ସମୟରେ ସୁଦାମ ମାରାଣ୍ଡିଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏକ ଫୁଟବଲ ମ୍ୟାଚରେ ଅତିଥି ଭାବେ ଯୋଗ ଦେବାକୁ ମୟୂରଭଞ୍ଜର ଏକ ଆଦିବାସୀ ଇଲାକା ତଥା ପାଣ୍ଡବ ଗାଁକୁ ଯାଇଥିଲେ ସୁଦାମ ମାରଣ୍ଡି । 2009 ଅକ୍ଟୋବର 13 ତାରିଖରେ ନକ୍ସଲ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହା ପଛରେ ନକ୍ସଲଙ୍କ ହାତ ଥିବା କୁହାଯାଇଥିଲା । ସୌଭାଗ୍ୟବସତଃ ବଞ୍ଚି ଯାଇଥିଲେ ସୁଦାମ ମାରାଣ୍ଡି । କିନ୍ତୁ 3 ଜଣ ଯବାନ ନକ୍ସଲଙ୍କ ଗୁଳିରେ ଶହୀଦ ହୋଇଥିଲେ ।

ଜଗବନ୍ଧୁ ମାଝୀ:-ଲାଲବାହିନୀର ଗୁଳିମାଡରେ ଟଳି ପଡିଥିଲେ ବିଜେଡି ବିଧାୟକ ଜଗବନ୍ଧୁ ମାଝୀ । ନବରଙ୍ଗପୁର ଜିଲ୍ଲା ଉମରକୋଟର ବିଧାୟକ ଥିଲେ ଜଗବନ୍ଧୁ । 2011 ମସିହା ସେପ୍ଟେମ୍ବର 11 ତାରିଖରେ କିଛି ମାଓବାଦୀଙ୍କ ଗୁଳିରେ ଟଳି ପଡିଥିଲେ ସେ । ଘଟଣା ଦିନ ଏକ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଥିଲା । 3 ଦୁର୍ବୃତ୍ତ ବାଇକରେ ଆସି ପ୍ରଥମେ ଜଗବନ୍ଧୁଙ୍କ ପିଏସଓ ପରେ ଜଗବନ୍ଧୁଙ୍କ ଉପରକୁ ଗୁଳିମାଡ କରିଥିଲେ । ଏଥିରେ ଘଟଣାସ୍ଥଳରେ ଜଗବନ୍ଧୁଙ୍କ ପିଏସଓଙ୍କ ମୃତ୍ୟୁ ହୋଇଥିଲା । ପରେ ରାଇଘର ହସ୍ପିଟାଲରେ ଜଗବନ୍ଧୁଙ୍କ ଦେହାନ୍ତ ହୋଇଥିଲା ।

ଅଭିମନ୍ୟୁ ସାହୁ:-ବର୍ତ୍ତମାନର ମନ୍ତ୍ରୀ ଥିବା ଟୁକୁନି ସାହୁଙ୍କ ସ୍ବାମୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । 2013 ଡିସେମ୍ବର 15 ତାରିଖରେ ଧାରୁଆ ଅସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ମର୍ଣ୍ଣିଂୱାର୍କରେ ଯାଉଥିବାବେଳେ ତାଙ୍କୁ ଆକ୍ରମଣ ହୋଇଥିଲା । ଏହାପଛରେ ବ୍ୟବସାୟିକ ଶତ୍ରୁତା ଥିବା କୁହାଯାଉଥିଲା । ଟିଟିଲାଗଡରେ ଜଣେ ଟାଣୁଆ ଯୁବ ବିଜେଡି ନେତା ଥିଲେ ଅଭିମନ୍ୟୁ ସାହୁ । ସେହି ଆକ୍ରମଣରେ ଆଖି ବୁଜିଥିଲେ ଅଭିମନ୍ୟୁ ।

ଧନୁର୍ଜୟ ସିଦ୍ଧୁ:-ପୂର୍ବତନ କଂଗ୍ରେସ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କୁ ଉପରକୁ ମଧ୍ୟ ହୋଇଥିଲା ଅତର୍କିତ ଆକ୍ରମଣ । 2007 ଫେବୃଆରୀ 26 ତାରିଖରେ କେନ୍ଦୁଝର ବଡବିଲ ନିକଟରେ ତାଙ୍କୁ ଗୁଳି କରାଯାଇଥିଲା । ସେତେବେଳ ଚମ୍ପୁଆ ବିଧାୟକ ଥିଲେ ଧନୁର୍ଜୟ । ଗାଡିରେ ଯାଉଥିବାବେଳେ ଗାଡିରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସୌଭାଗ୍ୟବସତଃ ବର୍ତ୍ତି ଯାଇଥିଲେ ଧନୁର୍ଜୟ ସିଦ୍ଧୁ ।

ନବ କିଶୋର ଦାସ:-2023 ମସିହା ଜାନୁଆରୀ 29 ତାରିଖ । ସମୟ ପାଖାପାଖି ଅପରାହ୍ନ 12ଟା 30 । ବିଜୁଳି ବେଗରେ ଖବର ବ୍ୟାପି ଯାଇଥିଲା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ ହୋଇଛି । ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଜଣେ ପୋଲିସ ଏଏସଆଇ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ତୁରନ୍ତ ତାଙ୍କୁ ଭୁବନେଶ୍ବର ଆପୋଲ ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଥିଲା । ଭଗବାନଙ୍କ ନିୟମ ବୋଧେ କିଛି ଅଲଗା ଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ରାତି ପ୍ରାୟ 7ଟା 30ରେ ଦୁନିଆକୁ ଅଲବିଦା କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଜୀବନରେ ମୃତ୍ୟୁ ସତ୍ୟ । ହେଲେ ମୃତ୍ୟୁ ଯେତେବେଳେ ଅଚାନକ ଆସେ ତାହା ମର୍ମାହତ କରିଥାଏ । ରାଜ୍ୟରେ ଆଇନ ବ୍ୟବସ୍ଥା ଢିଲା ପାଇଁ ଅଦିନରେ ଅନେକ ଜୀବନ ଚାଲିଯାଉଛି । ଦିନ ଦ୍ବିପ୍ରହରରେ କଡା ସୁରକ୍ଷା ଭିତରେ ଜଣେ ମନ୍ତ୍ରୀଙ୍କୁ ଗୁଳିମାଡ ହେଉଛି । ସେ ପୁଣି ଜଣେ ପୋଲିସକର୍ମୀ ମନ୍ତ୍ରୀଙ୍କୁ ଗୁଳିମାଡ କରିଛନ୍ତି । ସେ କାରଣ ରାଜନୈତିକ ହେଉ କି ବ୍ୟକ୍ତିଗତ କ୍ଷତି ତ ସେହି ପରିବାର ସହୁଛି ଯିଏ ନିଜ ଆତ୍ମୀୟଙ୍କୁ ହରାଉଛି । ପିଲାଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯାଇଛି । ଯେଉଁଠି ମନ୍ତ୍ରୀ ସୁରକ୍ଷିତ ନୁହନ୍ତି ସେଠି ସାଧାରଣ ମଣିଷଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 30, 2023, 3:37 PM IST

ABOUT THE AUTHOR

...view details