ଓଡିଶା

odisha

ETV Bharat / state

ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ: ଟାର୍ଗେଟ କଲା କଂଗ୍ରେସ, ଆସନ୍ତାକାଲି ବିଦ୍ୟୁତ ବିତରକ କମ୍ପାନୀଙ୍କ ବୈଠକ - tata power

ବିଦ୍ୟୁତ କାଟ୍ ଓ ଯୋଗାଣ ପ୍ରସଙ୍ଗକୁ ନେଇ ତାତିଲେ ବିରୋଧୀ। ସେପଟେ ବ୍ୟାକଅପ୍ ପ୍ଲାନ କମ୍ ଥିବା ଉତ୍ତର ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ଅଧିକ ପଢନ୍ତୁ

ବିଦ୍ୟୁତ କାଟ୍ ନେଇ ତେଜିଛି ରାଜନୀତି
ବିଦ୍ୟୁତ କାଟ୍ ନେଇ ତେଜିଛି ରାଜନୀତି

By

Published : Jun 11, 2023, 9:55 PM IST

ବିଦ୍ୟୁତ କାଟ୍ ନେଇ ତେଜିଛି ରାଜନୀତି

ଭୁବନେଶ୍ବର:ବିଦ୍ୟୁତ କାଟ୍ ଓ ଯୋଗାଣ ବାଧାପ୍ରାପ୍ତ ନେଇ ତେଜିଛି ରାଜନୀତି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ଜନ ଜୀବନ ଅସ୍ତବ୍ୟସ୍ତ ଥିବାବେଳେ ଘନ ଘନ ବିଦ୍ୟୁତ କାଟ ହେଉଛି । ଏହାକୁ ନେଇ ଆସନ୍ତାକାଲି ବିଦ୍ୟୁତ ବିତରକ କମ୍ପାନୀମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଗତ 8 ତାରିଖରେ ଭୁବନେଶ୍ୱରରେ କାଳବୈଶାଖୀ ପରେ ଦୀର୍ଘ 4 ଘଣ୍ଟା ବିଜୁଳି ସରବରାହ ବ୍ୟାହତ ହେବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏପରିକି ମୁଖ୍ୟ ଶାସନ ସଚିବ ମଧ୍ୟ ବିଦ୍ୟୁତ ବିତରକ କମ୍ପାନୀ ଗୁଡିକର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ଶନିବାର ପୂର୍ବତନ ମୁଖ୍ୟ ଶାସନ ସଚିବ, କଂଗ୍ରେସ ନେତା ବିଜୟ ପଟ୍ଟନାୟକ ବିଦ୍ୟୁତ ବିଭାଗର ମନୋମୁଖୀ ବିଜୁଳି ପରିଚାଳନାକୁ ନେଇ ଶକ୍ତି ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି।

ଶକ୍ତିମନ୍ତ୍ରୀ ପ୍ରତାପ ଦେଵଙ୍କ ସାଧାରଣ ଜନତାଙ୍କ ଅସୁବିଧା ଅପେକ୍ଷା ବିଦ୍ୟୁତ ବିତରକ କମ୍ପାନୀର ଓକିଲାତି କରିବା ଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଥିଲେ ବିଜୟ । ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଥିବାବେଳେ ଆଜି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ନୀରବଛିନ୍ନ ବିଦ୍ୟୁତ ସେବା ସ୍ଲୋଗାନ ନକରି ବାସ୍ତବ ରୂପରେ କାର୍ଯ୍ୟକାରୀ କରନ୍ତୁ ବୋଲି ବିଜେପି କହିବା ପରେ କଂଗ୍ରେସ ମଧ୍ୟ ଶକ୍ତି ବିଭାଗର ଖାମଖିଆଲି ମନୋଭାବକୁ ନେଇ ପ୍ରଶ୍ନ ଉଠାଇଛି ।

ତେବେ ବାରମ୍ବାର ବିଦ୍ୟୁତ କାଟ୍ ଏବଂ ବିଭାଗର ବିଭ୍ରାଟ ପ୍ରସଙ୍ଗରେ ବିଜୟ କହିଛନ୍ତି, "ସରକାର ଦୀର୍ଘ ଦିନ ହେଲା ଶାସନ କରୁଛନ୍ତି, ତେଣୁ ବର୍ତ୍ତମାନ ମନମୁଖୀ ଶାସନ ଚାଲିଛି । ଲୋକଙ୍କ ସମସ୍ୟା ଶୁଣିବାକୁ ସରକାରଙ୍କ ଧୈର୍ଯ୍ୟ ନାହିଁ। ରାଜ୍ୟରେ ବିଦ୍ୟୁତ ବଳକା ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ ରାଜ୍ୟବାସୀ ଅଘୋଷିତ ବିଦ୍ୟୁତ କାଟରେ କଲବଲ ହେଉଛନ୍ତି । ଏଥିସହ କୋଟି କୋଟି ଟଙ୍କା ବ୍ୟୟରେ କରାଯାଇଥିବା ଭୂତଳ କେବୁଲ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।" ସମସ୍ୟାର ତୁରନ୍ତ ସମାଧାନ ପାଇଁ ଶକ୍ତି ମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ବିଜୟ । ଆଉ ଯଦି ସରକାର ଅର୍ଥ ଅଭାବରୁ ବିଦ୍ୟୁତ ସେବା ଯୋଗାଇ ପାରୁନାହାଁନ୍ତି ତେବେ ବିଳାସପୂର୍ଣ୍ଣ ତଥା ବିଶ୍ବସ୍ତରୀୟ ଷ୍ଟାଡିୟମ କରିବା ମୂଲ୍ୟହୀନ" ବୋଲି କହିଛନ୍ତି ବିଜୟ । ଏଠାରେ ଷ୍ଟାଡିୟମଠାରୁ ବିଦ୍ୟୁତର ଆବଶ୍ୟକତା ଅଧିକ ବୋଲି କଂଗ୍ରେସ କହିଛି ।

ସେପଟେ ବ୍ୟାକ୍ ଅପ୍ ପ୍ଲାନ ନଥିବାରୁ ଏପରି ହେଉଛି ବୋଲି ଉତ୍ତର ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ସେ କହିଛନ୍ତି, "ମୋ ମତରେ ବିଜୁଳି ଯୋଗାଣ ଭିତ୍ତିଭୂମିରେ କିଛି ଅସୁବିଧା ନାହିଁ। ଭିତ୍ତିଭୂମି କ୍ଷେତ୍ରରେ ଯେଉଁ ବ୍ୟାକଅପ୍ ପ୍ଲାନ୍‌ ରହିବା କଥା ସେଥିରେ କମି ରହିଛି । ଦୁଇ ଦିନ ପୂର୍ବେ ହୋଇଥିବା କାଳବୈଶାଖୀ ତାଙ୍କ ପାଇଁ ଗୋଟେ ଶିକ୍ଷା ହେବା ଉଚିତ। ଯେତେ ଭିତ୍ତିଭୂମି ପ୍ରସ୍ତୁତ କଲେ ବି ବିପର୍ଯ୍ୟୟରେ ବାଧାପ୍ରାପ୍ତ ହେବ। ସେଥିପାଇଁ ସବୁବେଳେ ବ୍ୟାକଅପ୍ ପ୍ଲାନ ରଖାଯାଏ । ବିରୋଧୀ ଯେଉଁ ଭିତ୍ତିଭୂମି ଅଭାବର ଅଭିଯୋଗ ଆଣୁଛନ୍ତି , ବିଜୁଳି ଯୋଗାଣ ଭିତ୍ତିଭୂମିରେ ସେମିତି ଅସୁବିଧା ନାହିଁ ବରଂ ଭିତ୍ତିଭୂମି କ୍ଷେତ୍ରରେ ଯେଉଁ ବ୍ୟାକଅପ୍ ପ୍ଲାନ ରହିବା କଥା ସେଥିରେ କମି ରହିଛି । ମୁଖ୍ୟ ଶାସନ ସଚିବ ଯେହେତୁ ବୈଠକ ଡାକିଛନ୍ତି ତେଣୁ ଭାବୁଛି ସମସ୍ୟାର ସମାଧାନ ହେବ" ବୋଲି କହିଛନ୍ତି ଅମର ପଟ୍ଟନାୟକ ।

ରିପୋର୍ଟ ଅନୁଯାୟୀ 2021ରୁ 2022 ଭିତରେ ପ୍ରାୟ 2000କୋଟି ଟଙ୍କା ଖର୍ଚ୍ଚ କରିଛି ଟାଟା ପାୱାର । ଏହାସହ ବିଦ୍ୟୁତ ଭିତ୍ତିଭୂମି ପାଇଁ 10ଟି ଯୋଜନାରେ ପାଖାପାଖି 37 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ବ୍ୟାକ୍ ଅପ୍ ପ୍ଲାନ ହୋଇନଥିବା ଘଟଣାକୁ ଦେଖିଲେ ଟାଟା ପାୱାର ଦେଇଥିବା ବିଲ୍‌ରେ ସ୍ବଚ୍ଛତା ନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details