ଭୁବନେଶ୍ବର: ବୁଲଡୋଜର ଚଢିବା ପରେ ମାଟିରେ ମିଶିଲା ମାର୍କେଟ ବିଲଡିଂର ଉଠା ଦୋକାନ । ଏହି ଉଚ୍ଛେଦକୁ ନେଇ ଉଠା ଦୋକାନୀମାନଙ୍କ ମଧ୍ୟରେ ଉତ୍ତେଜନା । ଉଠା ଦୋକାନୀ ଓ ଏନ୍ଫୋର୍ସମେଣ୍ଟ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି । ବିନା ନୋଟିସରେ ବିଏମସି ଓ ବିଡିଏ କର୍ମଚାରୀ ସେମାନଙ୍କ ଦୋକାନ ଭାଙ୍ଗିବା ସହ ସମସ୍ତ ଅସବାବପତ୍ର ସବୁକୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ବିନା ଥଇଥାନରେ ଉଚ୍ଛେଦକୁ ବିରୋଧ କରୁଛନ୍ତି ଉଠାଦୋକାନୀ । ବିଏମସିର କେଶରୀ ମଲ ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
୫ରୁ ଅଧିକା ଦୋକାନ ବୁଲଡୋଜର ଭାଙ୍ଗିବା ପରେ ଉଠା ଦୋକାନୀ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା । ବିରୋଧ ପରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିଛି ବିଏମସି । ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମସି ବେଖାତିର କରୁଥିବା ଅଭିଯୋଗ କରିଛନ୍ତି ଦୋକାନୀ । ଏନ୍ଫୋର୍ସମେଣ୍ଟ ଟିମ୍ର ସଦସ୍ୟ ଦୋକାନୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ଆସିବାରୁ ଉକ୍ତ କର୍ମଚାରୀଙ୍କ ଗିରଫ ଦାବି କରିଛନ୍ତି ଦୋକାନୀମାନେ ।
ଉଠା ଦୋକାନୀ ସଭାପିତ ପ୍ରତାପ ସାହୁ କହିଛନ୍ତି, ‘‘ବଏମସି ପକ୍ଷରୁ ବେଆଇନ ଭାବେ ଉଚ୍ଛେଦ କାର୍ଯ୍ୟ କରାଯାଉଛି । ବିନା ନୋଟିସ କି ବିନା ଥଇଥାନରେ ଉଚ୍ଛେଦ କାର୍ଯ୍ୟ କରାଯଇ ପାଇବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଖୋଲାଖୋଲି ଉଲ୍ଳଂଘନ କରାଯାଉଛି । ବର୍ଷବର୍ଷ ଧରି ଏଠି ଦୋକାନକରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ କ’ଣ କରିବେ । ଟ୍ରେଡ଼ଲାଇସେନସ ପ୍ରାପ୍ତ କାର୍ଡ ପାଇବା ସହ ବିଏମସିଙ୍କୁ ଟ୍ୟାକ୍ସ ଦେଉଛନ୍ତି ଏକାଧିକ ବ୍ୟବସାୟୀ । ଆଉ କିଛି ଲୋକଙ୍କ ପାଖରେ ହାଇକୋର୍ଟର ଷ୍ଟେ ଅର୍ଡର ମଧ୍ୟ ରହିଛି । ଏହାସହ ଉଚ୍ଛେଦ ସମୟରେ ମହିଳା ଦୋକାନୀଙ୍କୁ ବିଏମସି ଅଧିକାରୀ ଖରାପ ଆଚରଣ କରିଛନ୍ତି । ମହିଳାମନଙ୍କୁ ପର ଘରେ ବାସନ ମାଜିବା ପାଇଁ କହିବାରୁ ଏପରି ଉତ୍ତେଜନ ହୋଇଥିଲା । ଏଥିପାଇଁ ଉକ୍ତ କର୍ମଚାରୀଙ୍କ ଗିରଫ କରାଯାଉ ।’’