ଏମ୍ବାସି ବାର ବାହାରୁ ପଥର ମାରି ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକେ ଭୁବନେଶ୍ବର: ରାଜଧାନୀରେ ବଢିବାରେ ଲାଗିଛି ଆତଙ୍କରାଜ । ପୋଲିସର ବେପରୁଆ କାର୍ଯ୍ୟାନୁଷ୍ଠାନ ପାଇଁ ପୁରା ଡିପାର୍ଟମେଣ୍ଟ ଏବେ ବଦନାମ ହୋଇଛି । ଅନଭିଜ୍ଞ ଅଫିସର ସହରକୁ ସମ୍ଭାଳି ପାରୁନଥିବା ଆଲୋଚନା ହେଉଛି । ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ଏମ୍ବାସି ବାର ଭିତରକୁ ଯିବାକୁ ଅନୁମତି ନମିଳିବାରୁ ବାର ଆଗରେ କିଛି ଉତ୍ୟକ୍ତ ଲୋକଙ୍କ ତୁମୁଳ କାଣ୍ଡକୁ ନେଇ ଏବେ ସାରା ସହରରେ ଚର୍ଚ୍ଚା ଜୋର ଧରିଛି ।
ଆଗକୁ ହକି ବିଶ୍ବକପ୍ ଥିବାବେଳେ ଦୁର୍ବୃତ୍ତଙ୍କ ଆତଙ୍କରାଜ ପୋଲିସ ପାଇଁ ବଢ଼ାଇଛି ଚିନ୍ତା । କେତେବେଳେ କିଏ କେଉଁଠି ଆତଙ୍କ ଘଟାଉଛି, ପୋଲିସ ପାଖରେ ନାହିଁ ସୁରାକ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ । ଏକ ବାର ଆଗରେ ଅପରାଧିଙ୍କ ଆତଙ୍କ ନେଇ ଅଡୁଆରେ ପୁରା ପୋଲିସ ବିଭାଗ । କାହା ଅବହେଳାରୁ ଘଟିଲା ଏପରି ଅଘଟଣ ସେନେଇ କାରଣ ଖୋଜା ଚାଲିଥିବାବେଳେ ଏବେ ବାର ଆଗରେ ଲଙ୍କାକାଣ୍ଡକୁ ନେଇ ପୋଲିସ କରୁଛି ତଦନ୍ତ ।
ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତି ୧୨.୩୦ରେ ଚନ୍ଦ୍ରଶେଖରପୁରର ଏମ୍ବାସି ବାରକୁ ଯିବା ପାଇଁ ଆସିଥିଲେ ସଞ୍ଜୀବ ସ୍ୱାଇଁ ନାମକ ଜଣେ ବ୍ୟକ୍ତି । ସମୟ ହୋଇଯାଇଥିବାରୁ ବାଉନସର ମନା କରିଥିଲେ ଏଣ୍ଟ୍ରି କରିବାକୁ । ସେହିଠାରୁ ଆରମ୍ଭ ହେଲା ବଚସା । ସଞ୍ଜୀବ ବାର କର୍ମଚାରୀଙ୍କ ଦାଦାଗିରି ନାଁରେ ଥାନାରେ ଏତଲା ଦେଲେ । ହେଲେ ପୋଲିସ ଘଟଣାକୁ ଗୁରୁତ୍ବ ନଦେଇ ବାର ବିରୋଧରେ ଅଭିଯୋଗକୁ ଗୁରୁତ୍ବ ଦେଲାନି । ଶେଷରେ ଅଭିଯୋଗକାରୀ ଆଇନକୁ ନିଜ ହାତକୁ ନେଇଥିଲା । ଫିଲ୍ମ ଷ୍ଟାଇଲରେ ୧୫ରୁ ୨୦ ଯୁବକ ବିଦ୍ୟୁତ ଖୁଣ୍ଟରେ ତାର ପକାଇ ଲାଇନ କାଟିଥିଲେ । ପରେ ବାରକୁ ଅନ୍ଧାର କରି ଢେଲା ପଥର ମାରି ଭଙ୍ଗାରୁଜା କରିଥିଲେ । ହେଲେ ଏନେଇ ପୋଲିସ କିଛି ଜାଣିପାରିଲା ନାହିଁ । ବେଶ କିଛି ସମୟ ଧରି ଚାଲିଲା ଖଣ୍ଡ ଯୁଦ୍ଧ । ଶେଷରେ ଖବର ପାଇ ପହଞ୍ଚିଲା ପୋଲିସ । ଆଉ ପୋଲିସ ଉପସ୍ଥିତିରେ ମଧ୍ୟ ଆତଙ୍କ ଖେଳାଇବାକୁ ପଛେଇ ନଥିଲେ ଉତ୍ୟକ୍ତମାନେ ।
ତେବେ ପ୍ରଶ୍ନ ଉଠୁଛି କିଭଳି ମୁଖ୍ୟ ରାସ୍ତା ନିକଟରେ ଏଭଳି କାଣ୍ଡ ଚାଲିଥିଲା, ଅଥଚ ପୋଲିସ ଠିକ୍ ସମୟରେ ଜାଣିପାରିଲା ନାହିଁ । ସିସିଟିଭି ଫୁଟେଜରେ ରହିଛି ପୁରା ଆତଙ୍କର ଦୃଶ୍ୟ । ତେବେ ହକି ପାଇଁ ନିତିଦିନ ରାସ୍ତା ଉପରେ ପୋଲିସ ବିଭିନ୍ନ ଛକ ଉପରେ ଚେକ୍ ପୋଷ୍ଟ ଲଗାଇ ଲୋକଙ୍କୁ ଭେଟି ବ୍ଲକିଂ କରିବା ସହ କାଟୁଛି ଲମ୍ବା ଫାଇନ । ହେଲେ ଏତେସବୁ ସତ୍ତ୍ବେ ଏଭଳି ଆତଙ୍କ ପାଇଁ କିପରି ପୋଲିସ ସଠିକ ସମୟରେ ଜାଣିପାରିଲେ ନାହିଁ ସେନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଉଠିଛି ପ୍ରଶ୍ନ । ତେବେ ଏନେଇ ବାର କର୍ତ୍ତୃପକ୍ଷଙ୍କର ମଧ୍ୟ କିଛି ଭୁଲ ଥାଇପାରେ । ଏନେଇ ଏବେ ଅନେକ ପ୍ରଶ୍ନ ଆସିଥିବାବେଳେ ଏନେଇ ପୋଲିସ ମଧ୍ୟ ମୁହଁ ଖୋଲିନାହିଁ । ତେବେ ଆଗକୁ ହକି ବିଶ୍ବକପ୍ ଆସୁଛି । ସହରକୁ ଛୁଟୁଛି ବିଦେଶୀଙ୍କ ସୁଅ । ଏନେଇ ପର୍ଯ୍ୟଟକ ସମେତ ହକି ପ୍ରଶଂସାକାରୀ ମଧ୍ୟ ପହଞ୍ଚୁଛନ୍ତି । ତେବେ ଏଭଳି ଘଟଣା ଘଟିଲେ ଏମାନଙ୍କ ଉପରେ ସହରର ଛବି ଖରାପ ହେବ । ଏ ଦିଗକୁ ଦୃଷ୍ଟିରେ ରଖି ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେବ ତାହାରି ଉପରେ ନଜର ।
ଇଟିଭି ଭାରତ, ଭୁବନେଶ୍ବର