ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରର ମହର୍ଷି ନାଚୁରାଲ ଲ' କଲେଜରେ ପରୀକ୍ଷାରେ ବଡ ଅବହେଳା ଅଭିଯୋଗ । ଆଜି ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଥିଲା । ହେଲେ ଦୀର୍ଘ ସମୟ ଧରି ପରୀକ୍ଷା ହଲରେ ଛାତ୍ର ରହିଥିବା ବେଳେ ପରୀକ୍ଷା ଥିବା ବିଭାଗର ଅଧ୍ୟାପକ ସମର ଭ୍ୟାକେସନ ଟୁରରେ ରହିଛନ୍ତି । ଏନେଇ ପରୀକ୍ଷା ହଲ ବାହାରେ ପରୀକ୍ଷାର୍ଥୀମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି ।
ସକାଳ ୧୦.୩୦ ମିନିଟରେ ପରୀକ୍ଷା ହେବାକୁ ଥିବା ବେଳେ ୧୨.୩୦ଟାରେ ଆସିଥିଲେ ଅଧ୍ୟାପକ । ଆଜି ପରୀକ୍ଷା ରହିଥିବା ବେଳେ ଏବେ ସୁଦ୍ଧା ସିଲାବସ ମଧ୍ୟ ଶେଷ ହୋଇନାହିଁ । ଅଧ୍ୟାପକଙ୍କୁ କୋର୍ସ ସରିନାହିଁ ବୋଲି ପିଲା ପ୍ରଶ୍ନ କରିବାରୁ ୟୁଟ୍ୟୁବରେ ପଢି ଦେବା ଲାଗି ସେମାନଙ୍କୁ କହିଥିଲେ ଅଧ୍ୟାପକ । ଅନ୍ୟପଟେ କଲେଜରେ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ଇନଚାର୍ଜ ରହିଥିବା ଜଣେ ଅଧ୍ୟାପକ ବିଦେଶ ଗସ୍ତରେ ରହିଥିବା ଅଭିଯୋଗ ହୋଇଛି ।
ସେହିପରି ପରୀକ୍ଷା ସୁପରିଟେଣ୍ଡେଣ୍ଟ ସମର ଭ୍ୟାକେସନ କାଟିବା ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି । ରାଜଧାନୀର ଜଣାଶୁଣା କଲେଜ ମହର୍ଷି ନାଚୁରାଲ ଲ' କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆସିଛି । ଅଭିଯୋଗ ଅନୁଯାୟୀ, ପରୀକ୍ଷା ଦିନ ହଲରେ ଅଧ୍ୟାପକ ନଥିବାରୁ ମହର୍ଷି କଲେଜରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯୁକ୍ତ ୩ ଶେଷ ବର୍ଷର ରାଜନୀତି ବିଜ୍ଞାନ ପେପର ପରୀକ୍ଷା ଆଜି ସକାଳ ୧୦.୩୦ରେ ହେବାକୁ ଥିବା ବେଳେ ଦିନ ୧୨.୩୦ ପରେ କଲେଜରେ ଅଧ୍ୟାପକମାନେ ପହଞ୍ଚିଛନ୍ତି ।