ଭୁବନେଶ୍ବର:ଆଉ ଜଣକ ଜୀବନ ନେଲା ବିଏମସି ଗାଡି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗରେ । ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରାମ ଗାଗରେଇ ବୋଲି ଜଣାପଡିଛି । ଅନ୍ୟପଟେ ଏନେଇ ଦାରୁଠେଙ୍ଗ ଡମ୍ପିୟାର୍ଡ ସାମ୍ନାରେ ଉତ୍ତେଜନା ଦେଖା ଦେଇଛି । ସୂଚନା ଅନୁଯାୟୀ, କିଛି ଦିନ ପୁର୍ବେ ସମାନ ସ୍ଥଳରେ ଜଣେ ବାଇକ ଆରୋହୀଙ୍କର ଜୀବନ ନେଇଥିଲା ବିଏମସି ଅଳିଆ ଗାଡି । ଡମ୍ପିଂ ୟାର୍ଡକୁ ଅଳିଆ ପକାଇବାକୁ ଯାଉଥିବା ଗାଡ଼ିର ଧକ୍କାରେ ଜୀବନ ହରାଉଛନ୍ତି ଅନେକ ନିରିହ ।
ଯାହାକୁ ବିରୋଧ କରି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ସରପଞ୍ଚ ଶତାଧିକ ସ୍ଥାନୀୟ ଲୋକେ ଅଳିଆ ପକାଇବା ନେଇ ବିରୋଧ କରିଛନ୍ତି । ତେବେ ଏନେଇ ରାସ୍ତାରୋକ କରିବା ସହ ଚନ୍ଦକା ଦେଇ କଟକ ଓ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି ଲୋକେ । ରାସ୍ତାରୋକରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଧ୍ୟ ସାମିଲ ହୋଇଥିଲେ । ତେବେ ଏନେଇ ଖବର ପାଇ ବିଏମସି ମେୟର ଓ କମିସନର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।