ଭୁବନେଶ୍ବର: କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିଭିନ୍ନ କାର୍ଯ୍ୟକୁ ନିଷ୍ଠାର ସହ ସଂପାଦନ କର । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଭିସି ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହିତ ଅନୁଷ୍ଠିତ ବୈଠକରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
କଳାକାରମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ହିତାଧିକାରୀଙ୍କ ନାମ ତୁରନ୍ତ ପଠାଅ । ଚଳିତ ମାସ ଶେଷ ସୁଦ୍ଧା ଶୀଘ୍ର ଚୟନ କରି ବିଭାଗକୁ ପ୍ରେରଣ କରିବାକୁ ACS ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ହେଉଥିବା ଜିଲ୍ଲା ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀମାନେ ସାମିଲ ହେବା, ସ୍ଥାନୀୟ ଲୋକ କଳାକାରମାନଙ୍କୁ ଜିଲ୍ଲା ପ୍ରଶାସନର ସହଯୋଗରେ ରାଜ୍ୟ ସରକାରଙ୍କ ସୂଚନା, ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ ସାମିଲ କରିବା ସହିତ ବିଭାଗରେ କାର୍ଯ୍ୟକାରୀ କରାଯାଇଥିବା କମ୍ପ୍ୟୁଟରୀକୃତ ସାସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ସଂସ୍କୃତି ଅଧିକାରୀମାନେ ଦାୟିତ୍ୱ ଏବଂ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଯୋଗ୍ୟ ଅଥଚ କୌଣସି କାରଣରୁ ସିଟିଏମଏସରେ ନାମ ପଞ୍ଜୀକରଣ କରିପାରିନଥିବା ନୂଆ ସାଂସ୍କୃତିକ ଦଳମାନଙ୍କର ପଞ୍ଜୀକରଣ ମାର୍ଚ୍ଚ ୧ ରୁ ୩୧ ତାରିଖ ମଧ୍ୟରେ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ ନିର୍ମାଣାଧିନ ସଂସ୍କୃତି ଭବନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ୭ ଦିନରେ ଥରେ ସଂସ୍କୃତି ଅଧିକାରୀମାନେ ନିର୍ମାଣସ୍ଥଳ ପରିଦର୍ଶନ କରିବେ । ରାଜ୍ୟରେ ଥିବା ୨୧୭ ଟି ସୁରକ୍ଷିତ ଐତିହ୍ୟ କୀର୍ତ୍ତିରାଜି ଗୁଡିକୁ ପରିଦର୍ଶନ କରି ଏହାର ଅଧିକ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକତା ସଂପର୍କରେ ପ୍ରସ୍ତାବ ଦେବେ । ବିଭିନ୍ନ ପାଠାଗାରରେ ପୁସ୍ତକ ପହଁଚିଛି କି ନାହିଁ ଅନୁଧ୍ୟାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।