ଓଡିଶା

odisha

By

Published : Apr 29, 2023, 12:33 PM IST

ETV Bharat / state

ଖରିଫରେ ୯୫୦୦ କୋଟି ଫସଲ ଋଣ ଯୋଗାଇବା ଲକ୍ଷ୍ୟ: ସମବାୟ ମନ୍ତ୍ରୀ

ଓଡ଼ିଶାର କୃଷି କ୍ଷେତ୍ରରେ ଚାଷୀମାନଙ୍କୁ ସ୍ୱଳ୍ପ ମିଆଦି ଫସଲ ଋଣ ଯୋଗାଣ କ୍ଷେତ୍ରରେ ସମବାୟ ବିଭାଗ ସର୍ବଦା ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛି । ସମବାୟ ବିଭାଗ ପକ୍ଷରୁ ଚଳିତ ଖରିଫ ଫସଲ ନିମନ୍ତେ ୯୫୦୦ କୋଟି ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

minister atanu sabyasachi
minister atanu sabyasachi

ଭୁବନେଶ୍ବର:କୃଷି ରାଜ୍ୟ ଅର୍ଥନୀତିର ମୂଳ ଆଧାର । ରାଜ୍ୟର ଜନସଂଖ୍ୟାର ୬୦ ପ୍ରତିଶତରୁ ଊର୍ଦ୍ଧ୍ବ କୃଷି ଉପରେ ନିର୍ଭରଶୀଳ । ମୋଟ ଫସଲ ଋଣର ସିଂହଭାଗ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ବିଭିନ୍ନ ପ୍ରାଥମିକ କୃଷି ଋଣ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି । ଖରିଫ ଚାଷ ନିମନ୍ତେ ଚାଷୀମାନେ ଆବଶ୍ୟକ କରୁଥିବା ଋଣ ଯେପରି ଠିକ୍ ସମୟରେ ପାଇପାରିବେ । ସେଥି ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବା ପାଇଁ କୁହାଯାଇଛି । ଭାଗଚାଷୀ, ପ୍ରକୃତ ଚାଷୀମାନଙ୍କୁ ଯୁଗ୍ମଦେୟ ଗୋଷ୍ଠୀ ଗଠନ ମାଧ୍ୟମରେ ଫସଲ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ କହିଛନ୍ତି । ଏଥି ସହିତ କୃଷି ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ ପାଇଁ ଏସଏସଜିଙ୍କୁ ପ୍ରାଧାନ୍ୟ ଦେବା ପାଇଁ କୁହାଯାଇଛି ।

ଡାଲିଜାତୀୟ ଫସଲ, ତୈଳବୀଜ, ଆଳୁ ଏବଂ ଅନ୍ୟ ଅର୍ଥକରୀ ଫସଲ ଚାଷ କରିବା ନିମନ୍ତେ ପ୍ରାଥମିକତା ଭିତ୍ତିରେ ଫସଲ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ କହିଛନ୍ତି । ଉଦ୍ୟାନ କୃଷି ଓ ବାଣିଜ୍ୟିକ ଫସଲ ଚାଷ ନିମନ୍ତେ ଫସଲ ଋଣ ଯୋଗାଇଦେବାକୁ ପ୍ରାଥମିକତା ପ୍ରଦାନ ସହିତ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି । ସମବାୟ ବିଭାଗ ସଚିବ ସଂଜୀବ କୁମାର ଚଡ୍ଡା ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ସମବାୟ ସଂସ୍ଥାମାନଙ୍କ ଦ୍ୱାରା ଫସଲ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଛି । ବାଦ ପଡ଼ିଥିବା ଚାଷୀଙ୍କ ମଧ୍ୟରୁ ଅଧିକରୁ ଅଧିକ ଚାଷୀଙ୍କୁ ସମବାୟ ଋଣ ପରିସରଭୁକ୍ତ କରିବାକୁ କୁହାଯାଇଛି । ସେମାନଙ୍କୁ ନୂତନ କିଷାନ କ୍ରେଡିଟ କାର୍ଡ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଡିଆର୍‌ସିଏସ୍‌, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ୨୦୨୨ ଖରିଫ ଋତୁରେ ସମବାୟ ସଂସ୍ଥା ଦ୍ୱାରା ୯୦୦୦ କୋଟି ଟଙ୍କା ଫସଲ ଋଣ ଲକ୍ଷ୍ୟ ରଖାଯାଇଥିଲା ବେଳେ ରାଜ୍ୟର ୧୮ ଲକ୍ଷ ୯୯୯ ଜଣ ଚାଷୀଙ୍କୁ ୮୭୧୦ କୋଟି ୭୮ ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦିଆଯାଇଥିଲା । ଏହି ଫସଲ ଋଣ ପ୍ରଦାନ ଥିଲା ଏକ ସର୍ବକାଳୀନ ରେକର୍ଡ । ସେହିପରି ଗତ ୨୦୨୨-୨୩ ରବି ଋତୁରେ (୨୯ ମାର୍ଚ୍ଚ, ୨୦୨୩ ସୁଦ୍ଧା) ସମବାୟ ସଂସ୍ଥା ପକ୍ଷରୁ ରାଜ୍ୟର ୧୬ ଲକ୍ଷ ୨୩ ହଜାର ୭୯୦ ଜଣ ଚାଷୀଙ୍କୁ ୭୮୧୨ କୋଟି ୨୨ ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦିଆଯାଇଥିଲା । ଚଳିତ ଖରିଫ ଋତୁରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ଧାର୍ଯ୍ୟ ୯୫୦୦ କୋଟି ଟଙ୍କା ଫସଲ ଋଣ ପ୍ରଦାନ ଲକ୍ଷ୍ୟ ହାସଲ କରିବେ । ଏଥି ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ସମବାୟ ସଂସ୍ଥା ଜରିଆରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ଫସଲ ଋଣ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବ୍ୟାପକ ରିହାତି ଯୋଗାଇ ଦିଆଯାଉଛି । ଧାର୍ଯ୍ୟ ସମୟସୀମା ମଧ୍ୟରେ ପରିଶୋଧ କରୁଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ କୌଣସି ସୁଧ ଦେବାକୁ ପଡ଼ୁନାହିଁ । ସେହିପରି ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଓ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନିମନ୍ତେ ମାତ୍ର ୨ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ଫସଲ ଋଣ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ବ୍ୟାପକ ରିହାତି ପ୍ରଦାନ କରାଯାଇଥିବା ପରିପ୍ରେକ୍ଷୀରେ ହିତାଧିକାରୀଙ୍କ ଆଧାର କାର୍ଡକୁ ସେମାନଙ୍କର କିଷାନ କ୍ରେଡିଟ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇପାରିବେ । ଏଥି ସହିତ ମଂଜୁରୀପ୍ରାପ୍ତ ଋଣ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ସମସ୍ତ କାର୍ଯ୍ୟ କେବଳ ଅନଲାଇନ୍ ମାଧ୍ୟମରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମବାୟ ସମିତିଗୁଡ଼ିକ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଗୋଦାମରେ ଗଚ୍ଛିତ ରଖିବା ପାଇଁ କୁହାଯାଇଛି । ଯେପରି ଆବଶ୍ୟକତା ଅନୁସାରେ ଚାଷୀମାନେ ଠିକ ସମୟରେ ପାଇପାରିବେ । ସେହିପରି ମାର୍କଫେଡ ସଂସ୍ଥାକୁ ଆବଶ୍ୟକ ପରିମାଣର ସାର ସଂଗ୍ରହ କରି ବିଭିନ୍ନ ଗୋଦାମ, ଡିପୋ ସମେତ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ମହଜୁଦ କରି ରଖିବେ । ଯେପରି ସେଗୁଡ଼ିକ ତୁରନ୍ତ ସମବାୟ ସମିତି ଗୁଡ଼ିକୁ ପଠାଯାଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details