ଭୁବନେଶ୍ବର:ଧୀରେ ଧୀରେ ଲୋପ ପାଇଯାଉଥିବା ପୁରୁଣା ପ୍ରଣାଳୀ ବା ଜୈବିକ ଚାଷକୁ ଆଉ ଥରେ ଉଜ୍ଜୀବିତ କରିବା ପାଇଁ ୩୦ ବର୍ଷ ବୟସର ଯୁବକଙ୍କର ନିଆରା ପ୍ରୟାସ । ଜୈବିକ କୃଷିର ପ୍ରୟୋଗକୁ ନେଇ ବୁଲେଟରେ ବୁଲି ବୁଲି ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା । ବୁଲେଟରେ ଭଳିକି ଭଳି ମଞ୍ଜି ଧରି କରୁଛନ୍ତି ଭାରତ ଭ୍ରମଣ । ସୁଦୂର ତାମିଲନାଡ଼ରୁ ବୁଲେଟରେ ଯାତ୍ରା କରି ସଲାଇ ଅରୁଣ ଭାରତର କୋଣ ଅନୁକୋଣରେ ବୁଲି ଚାଷୀଙ୍କୁ କରୁଛନ୍ତି ସଚେତନ ।
ବୁଲିଛନ୍ତି ବିଭିନ୍ନ ରାଜ୍ୟ
ଅରୁଣ କୃଷକ ପରିବାରର ଜନ୍ମ ଗ୍ରହଣ କରିଥିବା ବେଳେ ଜୈବିକ କୃଷି ପ୍ରଣାଳୀ ଉପରେ ବୁଝାଇବା ଓ ଦେଶୀ ମଞ୍ଜି ସଂଗ୍ରହ କରି ତାର ପ୍ରଚାର ପ୍ରସାର ପାଇଁ ୫ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ୪ ବର୍ଷ ତାମିଲନାଡୁରେ ଏଭଳି ସଚେତନତା କରୁଥିଲେ । ଏବେ ପୁରା ଭାରତ କରିବାକୁ ବାହାରିଥିବା ବେଳେ କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରେ ଓଡିଶାରେ ପହଞ୍ଚିଛନ୍ତି । ପରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଭ୍ରମଣ କରିବେ । ୨ ବର୍ଷ ଭିତରେ ପୁରା ଭାରତ ବର୍ଷରେ ବୁଲି ମଞ୍ଜି ସଂଗ୍ରହ ସହ ଲୋକମାନଙ୍କୁ ବୁଝିବେ ବୋଲି ଲକ୍ଷ୍ୟ ରଖିଛନ୍ତି ଅରୁଣ । ଖାଲି ସେତିକି ନୁହେଁ ଏହି ଭାରତ ଭ୍ରମଣ ଯାତ୍ରାରେ ଜୈବିକ ଚାଷ ପ୍ରୋତ୍ସାହନ ଦେଉଥିବା ସଂସ୍ଥାମାନଙ୍କୁ ଭେଟିଛନ୍ତି । ସମ୍ଭବ ଯୁବ ବିକାଶ ପ୍ରତିଷ୍ଠାନ ଓ ସିଵାଏସ୍ଡି ଭଳି ସଂଗଠନକୁ ଭେଟୁଛନ୍ତି ଅରୁଣ ।
ଭ୍ରମଣ ବେଳେ ସଂଗ୍ରହ କଲେଣି 500ରୁ ଊର୍ଦ୍ଧ୍ବ କିସମର ମଞ୍ଜି
ଅନ୍ୟପଟେ ଏହି ଭ୍ରମଣରେ ୫୦୦ରୁ ଉର୍ଦ୍ଧ୍ବ କିସମର ପୁରାତନ ମଞ୍ଜି ସେ ସଂଗ୍ରହ କରି ଆଣିଛନ୍ତି । ଖାଲି ମଞ୍ଜି ସଂଗ୍ରହ ନୁହେଁ ଜୈବିକ ମଞ୍ଜି ପ୍ରଦାନ କରି ଜୈବିକ କୃଷି ପଦ୍ଧତି ଉପରେ ସଚେତନ କରାଉଛନ୍ତି । ରାସାୟନିକ ସାର ବ୍ୟବହାର ନକରି ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଚାଷୀଙ୍କୁ ଆହ୍ୱାନ ଦେଉଛନ୍ତି ସେ । ଅରୁଣଙ୍କର ଏହି ଭ୍ରମଣରେ ସବୁଠାରୁ ବଡ଼ ସହଭାଗିତା ବା ସହଯୋଗିତା ରହିଛି ଚାଷୀମାନଙ୍କର । ତାମିଲନାଡୁର ୨୦୦ ଚାଷୀ ଚାନ୍ଦା ଆଦାୟ କରି ଅରୁଣଙ୍କୁ ଏହି ଭାରତ ଭ୍ରମଣ ଯାତ୍ରା ପାଇଁ ବାଇକ ପ୍ରଦାନ କରିଛନ୍ତି । ଏହି ସହଭାଗିତାରେ ସେ ବୁଲେଟ କିଣିବା ପାଇଁ ନିଜେ ୩୦୦ ଟଙ୍କା ଦେଇଥିବା କହିଛନ୍ତି ।