ଭୁବନେଶ୍ବର: ଚଳିତ ବର୍ଷ ଗଣେଶ ପୂଜାରେ ଓଡ଼ିଶାବାସୀଙ୍କ ହେବ ଭରପୁର ଏଣ୍ଟରଟେନମେଣ୍ଟ। ଏହି ଅବସରରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଶଙ୍କର ରିଲିଜ ହେବାକୁ ଥିବା ବେଳେ ଆଉ ଏକ ଓଡ଼ିଆ ଫିଲ୍ମ 'ପ୍ରଥା' ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଓଲିଉଡ ଅଭିନେତା ସ୍ବରାଜ ବାରିକ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଏଥିରେ ନୂଆ ଲୁକରେ ନଜର ଆସିଛନ୍ତି ସ୍ବରାଜ। ଗଣେଶ ପୂଜାରେ ରିଲିଜ ହେବ ଫିଲ୍ମ। ତେବେ ଏହାକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ।
ଅନେକ ବର୍ଷ ବ୍ୟବଧାନ ପରେ ପାରମ୍ପରିକ ମୌଳିକ କାହାଣୀ ସହ ଏକ ହାଇ ବଜେଟର ଆକ୍ସନ ଫିଲ୍ମ 'ପ୍ରଥା' ଆସିବାକୁ ଯାଉଛି। ଏହାରି ମଧ୍ୟରେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ସିନେପଲିସରେ ସିନେ ପ୍ରେମୀ, ସିନେ ସମୀକ୍ଷକ ତଥା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଗହଣରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା" ର ଟ୍ରେଲର ଲଞ୍ଚ ହୋଇଛି। ଟ୍ରେଲର ଦେଖିସାରିବା ପରେ ସମସ୍ତେ ଫିଲ୍ଟର କାହାଣୀ ଓ ଗୀତଗୁଡିକୁ ନେଇ ବେଶ ଉତ୍ସାହିତ ଥିବା ସହ ଶିଶୁ କଳାକାରରୁ ନାୟକ ସାଜି ଏବଂ ଆଜି ଆକ୍ସନ ହିରୋ ଭାବେ ନିଜର ସ୍ୱରାଜ ବାରିକଙ୍କ ନିଖୁଣ ଅଭିନୟକୁ ପ୍ରଶଂସା କରିଥିଲେ।
ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ଏହି ଫିଲ୍ମରେ ସ୍ବରାଜଙ୍କ ବିପକ୍ଷରେ ଶୀତଲ ପାତ୍ର ଏବଂ ମୁମ୍ବାଇ ମଡେଲ ତଥା ଅଭିନେତ୍ରୀ ସିମ୍ରନ୍ କୌର ନଜର ଆସିବେ। ପ୍ରଥମ ଥର ପାଇଁ ସ୍ବରାଜ ଏବଂ ଶୀତଲ ସ୍କ୍ରିନ ସେୟାର କରିଥିବା ବେଳେ ସିମ୍ରନ ମଧ୍ୟ ପ୍ରଥମ ଥର ପାଇଁ ଏହି ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ।