ଓଡିଶା

odisha

By ETV Bharat Odisha Team

Published : Jan 12, 2024, 8:35 AM IST

Updated : Jan 12, 2024, 8:40 AM IST

ETV Bharat / state

ସ୍ୱଚ୍ଛ ସବେର୍କ୍ଷଣ ୨୦୨୩: ରାଜ୍ୟରେ ସ୍ୱଚ୍ଛତାରେ ଶୀର୍ଷରେ ଭୁବନେଶ୍ବର, ଦେଶରେ ୩୪

Swachh Survekshan 2023: ସ୍ୱଚ୍ଛ ସବେର୍କ୍ଷଣ ୨୦୨୩ ରିପୋର୍ଟ ପ୍ରକାଶିତ । ସ୍ବଚ୍ଛତାରେ ଭୁବନେଶ୍ବର ଓଡ଼ିଶାର ୧ ନମ୍ବର ସହର । ଦେଶରେ ୩୪ ନମ୍ବର ସ୍ଥାନରେ ଭୁବନେଶ୍ୱର । ଅଧିକ ପଢନ୍ତୁ

ସ୍ୱଚ୍ଛ ସବେର୍କ୍ଷଣ ୨୦୨୩
ସ୍ୱଚ୍ଛ ସବେର୍କ୍ଷଣ ୨୦୨୩

ଭୁବନେଶ୍ବର:ସ୍ବଚ୍ଛତାରେ ଆଗରେ ରାଜଧାନୀ ଭୁବନେଶ୍ବର । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ସର୍ଭେ ରିପୋର୍ଟ ଅନୁଯାୟୀ ସ୍ୱଚ୍ଛତାରେ ରାଜ୍ୟର ପ୍ରଥମ ସ୍ଥାନରେ ରାଜଧାନୀ ଭୁବନେଶ୍ବର ରହିଥିବା ବେଳେ ଦେଶର ସହର ରାଙ୍କରେ ୩୪ରେ ରହିଛି । ଗତ ସର୍ବେକ୍ଷଣରେ ୮୦ ନମ୍ବର ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ 34 ସ୍ଥାନରେ ରହିଛି ।

ସ୍ୱଚ୍ଛ ସବେର୍କ୍ଷଣ ୨୦୨୩
କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ୱଚ୍ଛ ସବେର୍କ୍ଷଣ-୨୦୨୩ର ଫଳାଫଳ ଘୋଷଣା ହୋଇଛି । ଏଥିରେ ଶ୍ରେଷ୍ଠ ସହର ଭାବେ ପୁଣି ଥରେ ମଧ୍ୟପ୍ରଦେଶର ଇନ୍ଦୋର ବାଜିମାତ୍ କରିଥିବାବେଳେ ସୁରଟ ମଧ୍ୟ ସ୍ବଚ୍ଛ ସହର ଭାବେ ପୁରସ୍କୃତ ହୋଇଛି । ଇନ୍ଦୋର ସ୍ୱଚ୍ଛ ସହର ଭାବେ କ୍ରମାଗତ ସପ୍ତମ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛି । ଏହି କ୍ରମରେ ଚଳିତବର୍ଷ ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟର ସଚିବ ମନୋଜ ଯୋଶୀ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ସ୍ୱଚ୍ଛ ସବେର୍କ୍ଷଣ ୨୦୨୩

୨୦୨୨ ମସିହାରେ ସ୍ବଚ୍ଛତାରେ ଭୁବନେଶ୍ବର ସର୍ବଭାରତୀୟ ସ୍ତରରେ ୮୦ ତମ ସ୍ଥାନରେ ରହିଥିବା ବେଳେ ଚଳିତ ଥର ୩୪ରେ ପହଞ୍ଚିଛି । ଏଥିସହ 2022 ଭୁବନେଶ୍ବର ରାଜ୍ୟର ତୃତୀୟ ସ୍ବଚ୍ଛ ସହର ଥିବା ବେଳେ ଚଳିତ ଥର ସ୍ବଚ୍ଛ ସହର ଭାବେ ଭୁବନେଶ୍ବର ରାଜ୍ୟର ୧ ନମ୍ବର ହୋଇଛି । ଭୁବନେଶ୍ୱରକୁ ସର୍ବଭାରତୀୟ ସ୍ତରରେ ୩୪ ରାଙ୍କ୍ ମିଳିଥିବା ବେଳେ ଏହା ରାଜ୍ୟର ସବୁଠୁ ସ୍ବଚ୍ଛ ସହର ଭାବେ ପୁରସ୍କୃତ କରାଯାଇଛି ।

ସ୍ୱଚ୍ଛ ସବେର୍କ୍ଷଣ ୨୦୨୩

ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ଅନୁଷ୍ଠିତ ସମାରୋହରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭୁବନେଶ୍ବରକୁ ୨ ପୁରସ୍କାର ଓ ଗୋଟିଏ ମାନ୍ୟତା ମିଳିଛି । ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ବର ପୁରସ୍କୃତ ହୋଇଥିବାବେଳେ ସହରରେ ଉନ୍ନତ ସ୍ବେରେଜ୍‌ ବ୍ୟବସ୍ଥା ସହ ମଳ ପରିଚାଳନା ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ନେଇଥିବା ପଦକ୍ଷେପ ଲାଗି ୱାଟର ପ୍ଲସର ମାନ୍ୟତା ମିଳିଛି ।

ଏହାମଧ୍ୟ ପଢନ୍ତୁ.. ସ୍ୱଚ୍ଛତା ହିଁ ସେବା: ଭୁବନେଶ୍ବରରେ ସଫେଇ କଲେ ବିଜେପି ନେତା, ସାମିଲ ହେଲେ ସବୁ ବର୍ଗର ଲୋକେ

ସେହିପରି ଗାର୍ବେଜ୍‌ ଫ୍ରି ସିଟି (ଜିଏଫସି) କ୍ଷେତ୍ରରେ ମଧ୍ୟ ଭୁବନେଶ୍ବର ଉତ୍ତମ ପ୍ରଦର୍ଶନ କରିଛି । ଚଳିତଥର ବିଏମସିକୁ ୩ ଷ୍ଟାର ରେଟିଂ ମିଳିଥିବାବେଳେ ପୂର୍ବବର୍ଷ ଏକ୍ଷେତ୍ରରେ ବିଏମସିକୁ ୧ ଷ୍ଟାର ମିଳିଥିଲା । ଅନ୍ୟପଟେ 2023ରୁ ବିଏମସି ଘରକୁ ଘର ବର୍ଜ୍ୟ ସଂଗ୍ରହ ସାଙ୍ଗକୁ ଏମସିସି/ଏମଆରଏଫରେ ପ୍ରକ୍ରିୟାକରଣ ଆରମ୍ଭ କରିଛି । ସେହିପରି ଏବେ ବର୍ଜ୍ୟର ପୁନଃ ବ୍ୟବହାର ମଧ୍ୟ ଆରମ୍ଭ ହୋଇଛି । ରାସ୍ତାରେ ମେକାନିକାଲ ସ୍ବିପିଂ ଓ ସହରର ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ ମଧ୍ୟ ବିଏମସି କାମ କରିଛି । ଯାହାଲାଗି ବିଏମସିକୁ ୩ ଷ୍ଟାର ମିଳିଛି । ଆସନ୍ତା ଦିନରେ ଭୁବନେଶ୍ବରରେ ପ୍ରକ୍ରିୟାକରଣ ବଢ଼ିଲେ ୩ ଷ୍ଟାର ସ୍ଥାନରେ ୭ ଷ୍ଟାର ହେବା ନେଇ ବିଏମସି ଆଶାବାଦୀ ରହିଛି । ୨୦୨୪ ସୁଦ୍ଧା ଦାରୁଠେଙ୍ଗରେ ବାୟୋ ମାଇନିଂକୁ ଫୁଲ୍‌ ସ୍ବିଙ୍ଗରେ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଟିଟିଏସରେ ମଧ୍ୟ ୩ ସିଫ୍ଟରେ କାମ ଚାଲିଛି । ତେଣୁ ଆସନ୍ତା ବର୍ଷ ଭୁବନେଶ୍ବର ସର୍ବଭାରତୀୟ ସ୍ତରରେ ଆହୁରି ଉତ୍ତମ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ରହିଛି ବିଏମସି ।

ଅନ୍ୟପଟେ ପୁରସ୍କାର ପାଇବା ପରେ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହଯୋଗରେ ଏହା ହୋଇପାରିଛି ବୋଲି କହିଛନ୍ତି ମେୟର ଓ କମିଶନର। ସବୁ ଷ୍ଟାରକୁ ନେଇ ସବେର୍କ୍ଷଣରେ ବିଏମସିକୁ ମୋଟ୍ ୯ହଜାର ୫ଶହ ମାର୍କରୁ ୭୩୧୪.୯୦ ମାର୍କ ମିଳିଛି ।


ସୂଚନାଯୋଗ୍ୟ, ସ୍ୱଚ୍ଛ ସର୍ବକ୍ଷେଣର ଏହା ଅଷ୍ଟମ ସର୍ଭେ ଥିଲା । ଏଥିରେ ମୋଟ ୪୪୧୭ ସହର ଅଂଶଗ୍ରହଣ କରିଥିଲେ । ରାଷ୍ଟ୍ରପତି ଦୌପଦୀ ମୂର୍ମୁ ସର୍ଭେ ଫଳାଫଳ ଘୋଷଣା କରିଥିଲେ । ଚଳିତବର୍ଷର ସର୍ଭରେ ମୁଲ୍ୟାଙ୍କନ ଲିଗାସି ଡମ୍ପି ସାଇଟ, ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନାକୁ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ସେହିପରି ୩(ଆର୍) ସିଦ୍ଧାନ୍ତ, ରି-ୟୁଜ୍, ରି-ସାଇକଲ୍, ରିଡିୟୁସ ଏବଂ ଜନ ସହଭାଗିତାକୁ ସର୍ଭେରେ ବିଶେଷଭାବେ ଗୁରୁତ୍ବ ଦିଆଯାଇଥିଲା ।

ସେହିପରି ସ୍ୱଚ୍ଛତା କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ପ୍ରଦର୍ଶନ ଦିନକୁ ଦିନ ଉନ୍ନତ ହେଉଛି । ସ୍ବଚ୍ଛତା କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ହୋଇଛି । ଷ୍ଟେଟ୍ ରାଙ୍କିଂରେ ଓଡ଼ିଶାର ସ୍ଥାନ ୪ର୍ଥକୁ ଆସିଛି । ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ଥିବାବେଳେ ତାକୁ ୩୭୨୧.୫୫ ପଏଣ୍ଟ ମିଳିଛି । ଦ୍ବିତୀୟରେ ମଧ୍ୟପ୍ରଦେଶକୁ ୩୬୫୭.୯୨, ତୃତୀୟ ସ୍ଥାନରେ ଥିବା ଛତିଶଗଡ଼କୁ ୩୪୨୫.୪୧ ପଏଣ୍ଟ ମିଳିଛି । ଏହି କ୍ଷେତ୍ରରେ ଓଡ଼ିଶା ୩୧୩୧.୩୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।



ସେହିପରି ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ମାତ୍ର ୩ଟି ସହର ରହିଛି । ଚଳିତବର୍ଷ ଭୁବନେଶ୍ବର ସ୍ବଚ୍ଛ ସର୍ବେକ୍ଷଣରେ ଉତ୍ତମ ପ୍ରଦର୍ଶନ କରିଛି ସତ କିନ୍ତୁ ଏହାଛଡ଼ା ରାଜ୍ୟର ବାକି ସହରଗୁଡ଼ିକରେ ଅପେକ୍ଷାକୃତ କମ୍ ପଏଣ୍ଟ ମିଳିଛି । ଭୁବନେଶ୍ବର ପରେ ୬୭୩୬.୭୦ ପଏଣ୍ଟ ପାଇ ପୁରୀ ମହାନଗର ନିଗମ ୬୨ତମ ସ୍ଥାନରେ ରହିଛି । ସେହିପରି ୬୦୩୦.୧୦ ପଏଣ୍ଟ ସହ ବାଲେଶ୍ବର ମହାନଗର ନିଗମ ୯୯ତମ ସ୍ଥାନରେ ରହିଛି। ଏହାପରେ ବ୍ରହ୍ମପୁର ୧୧୧ତମ ସ୍ଥାନରେ, ରାଉରକେଲା ୧୧୯ତମ, ସମ୍ବଲପୁର ୧୬୩ତମ, କଟକ ୧୭୨ତମ, ଭଦ୍ରକ ୨୨୯ତମ ସ୍ଥାନରେ ରହିଛି । ସର୍ଭେରେ ରାଜ୍ୟରୁ ମୋଟ୍ ୧୧୪ଟି ପୌରାଞ୍ଚଳ ଅଂଶ ଗ୍ରହଣ କରିଥିଲେ । ୨ଟି ସହର ପୁରସ୍କୃତ ହୋଇଛନ୍ତି । ୬୨ ସହରକୁ ଓଡ଼ିଏଫ୍, ୧୮କୁ ଓଡ଼ିଏଫ୍‌ପ୍ଲସ୍, ୩୩ଟି ଓଡ଼ିଏଫ୍ ପ୍ଲସ୍ ପ୍ଲସ୍, ଗୋଟିଏ ୱାଟର ପ୍ଲସ୍, ୧୪ଟି ୱାନ ଷ୍ଟାର ରେଟିଂ, ୨ଟି ୩ ଷ୍ଟାର ରେଟିଂ ମିଳିଛି ।


ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 12, 2024, 8:40 AM IST

ABOUT THE AUTHOR

...view details