ରାଜ୍ୟ ସୂଚନା ଆୟୁକ୍ତ ଭାବେ ସୁଶାନ୍ତ କୁମାର ମହାନ୍ତିଙ୍କ ଶପଥ ଗ୍ରହଣ ଭୁବନେଶ୍ବର: ରାଜ୍ୟ ସୂଚନା ଆୟୁକ୍ତ ଭାବେ ସୁଶାନ୍ତ କୁମାର ମହାନ୍ତି ଶପଥ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନରେ ରାଜଭବନର ଅଭିଷେକ ହଲରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସେ ଏହି ଦାୟିତ୍ବ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବନିଯୁକ୍ତ ସୂଚନା ଆୟୁକ୍ତଙ୍କୁ ଶପଥ ପାଠ କରାଇଛନ୍ତି ।
ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ରାଜ୍ୟପାଳଙ୍କ ଅନୁମତି କ୍ରମେ ରାଜ୍ୟ ସୂଚନା ଆୟୁକ୍ତ ଭାବେ ସୁଶାନ୍ତ କୁମାର ମହାନ୍ତିଙ୍କ ନିଯୁକ୍ତି ପତ୍ର (ୱାରାଣ୍ଟ ଅଫ ଆପଏଣ୍ଟମେଣ୍ଟ) ପାଠ କରିଛନ୍ତି । ଚଳିତ ମାସ 9 ତାରିଖରେ ରାଜ୍ୟ ସରକାର ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତିଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଥିଲେ । ଏନେଇ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଏହାବି ପଢନ୍ତୁ- UPSC ସଫଳତା ପାଇଁ ପ୍ରୟାସ, GAAରେ ଖୋଲିଲା ସ୍ୱତନ୍ତ୍ର ମକ୍ ଇଣ୍ଟର୍ଭିୟୁ ସେଲ୍
ସୁଶାନ୍ତି ମହାନ୍ତି ଓଡିଶାର ପ୍ରତିଷ୍ଠିତ ଖବର କାଗଜ ‘ସମାଜ’ ର କାର୍ଯ୍ୟକାରୀ ସଂପାଦକ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି । ସେ ସମାଜରେ ବହୁ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ଖେଳ ସାମ୍ବାଦିକରୁ ନିଜର କ୍ୟାରିୟର ଆରମ୍ଭ କରି ଶେଷରେ ଏହି ପ୍ରତିଷ୍ଠିତ ସଂସ୍ଥାର ମୁଖ୍ୟ ଭାବେ ଅବସ୍ଥାପିତ ହୋଇପାରିଥିଲେ ।
ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୋଲିସ ଡିଜି ସୁନୀଲ କୁମାର ବଂଶଲ, ରାଜ୍ୟ ସୂଚନା ଆୟୁକ୍ତ ଦିଲ୍ଲୀପ କୁମାର ବିଶୋୟୀ, ସଂଜୟ କୁମାର ସ୍ୱାଇଁ, ବାଳକୃଷ୍ଣ ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଉତ୍କଳ ପ୍ରସଙ୍ଗର ସଂପାଦିକା କସ୍ତୁରୀ ମହାପାତ୍ର, ସୁଶାନ୍ତଙ୍କ ପତ୍ନୀ ଓ ପରିବାର ସଦସ୍ୟ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ ।
ଏହାବି ପଢନ୍ତୁ- Naba Das Murder Mystery: ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: କଂଗ୍ରେସ ବିଧାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଥିବା କମିଟିର ସୁପାରିଶ ଅନୁସାରେ ଶୁସାନ୍ତ ମହାନ୍ତିଙ୍କୁ ରାଜ୍ୟପାଳ ଏହି ଦାୟିତ୍ବ ଦେଇଛନ୍ତି । ରାଜ୍ୟ ସୂଚନା ଆୟୁକ୍ତ ଭାବେ ସୁଶାନ୍ତ କୁମାର ମହାନ୍ତିଙ୍କ ନିଯୁକ୍ତି ପରେ ସୂଚନା କମିଶନର ଆହୁରି ସକ୍ରିୟ ହେବେ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ଯଯେ ବର୍ତ୍ତମାନ ରାଜ୍ୟ ସୂଚନା କମିଶନରେ ମୁଖ୍ୟ ସୂଚନା କମିଶନର ଭାବେ ଜଳଦ କୁମାର ତ୍ରିପାଠୀ କାର୍ଯ୍ୟ କରୁଛନ୍ତି । ଏହା ବାଦ କମିଶନର ଭାବେ ଦିଲ୍ଲୀପ କୁମାର ବିଷୋୟୀ, ସଞ୍ଜୟ କୁମାର ସ୍ୱାଇଁ, ବାଳକୃଷ୍ଣ ମହାପାତ୍ର, ବିକ୍ରମ ସେନାପତି ପ୍ରମୁଖ ଅଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର