ଭୁବନେଶ୍ବର :ଓଡ଼ିଶାରେ ପ୍ରଥମ ଥର ହେଲା କ୍ୟାନ୍ସରର ବିରଳ ସର୍ଜରୀ । ନାକ ନୁହେଁ ତଣ୍ଟି ବାଟେ ନିଶ୍ବାସ ନେବା ପାଇଁ ଡାକ୍ତର ଲଗାଇଲେ ମେସିନ । ୧୪ ଘଣ୍ଟାର ଜଟିଳ ଅପରେସନ ପରେ ମିଳିଲା ସଫଳତା । ଏହାପରେ ନୂଆ ଜୀବନ ପାଇଛନ୍ତି ଜଗତସିଂହପୁର ଜିଲ୍ଲାର ଆୟେଶା ପରୱିନ। ଯେଉଁଠି ଡାକ୍ତର ତାଙ୍କ ଆୟୁଷ ଆଉ ୧୫ ଦିନ ବୋଲି କହି ଦେଇଥିଲେ, ସେଠାରୁ ମୃତ୍ୟୁକୁ ହରାଇ ନୂଆ ଜୀବନ ପାଇଛନ୍ତି । ବଞ୍ଚିବାର ରାହା ଖୋଜୁଥିବା ଆୟେଶାଙ୍କୁ ନୂଆ ଜୀବନ ଦେଇଛନ୍ତି ଏମ୍ସ ଡାକ୍ତର ।
ଜଗତସିଂହପୁର ଜିଲ୍ଲାର ୨୫ ବର୍ଷୀୟ ଆୟେଶା ପରୱିନ ଭଏସ ବକ୍ସ ନିକଟରେ ହୋଇଥିଲା କ୍ୟାନ୍ସର। ଯାହା ଫଳରେ ତାଙ୍କ ଗଳା ନଷ୍ଟ ହେବା ସହ ସ୍ବର ମୋଟା, ଏବଂ କଥା କହିବା ଅସମ୍ଭବ ହୋଇ ପଡ଼ିଥିଲା । ପରିବାର ଲୋକେ ବିଭିନ୍ନ ହସ୍ପିଟାଲ ଯାଇଥିଲେ ମଧ୍ୟ ସବୁଠି ଆଶା ମଉଳି ଯାଇଥିଲା । ଶେଷରେ ଭୁବନେଶ୍ଵର ଏମ୍ସ ହସ୍ପିଟାଲ ଯାଇ ସେଠାରେ ଜୀବନ ମୃତ୍ୟୁ ସହ ସଙ୍ଘର୍ଷ ପରେ ନୂଆ ଜୀବନ ପାଇଛନ୍ତି । କଥା ନକହିପାରୁ କିନ୍ତୁ ଜୀବନ ବଞ୍ଚିଗଲା ବୋଲି କହିଛନ୍ତି ଆୟେଶାଙ୍କ ସ୍ଵାମୀ।
ସେହିପରି ଆୟେଶାଙ୍କ ଅପରେସନ ବହୁତ ରିସ୍କ ଥିଲା ବୋଲି କହିଛନ୍ତି ଡାକ୍ତର । ତାଙ୍କ ଭଏସ ବକ୍ସ, ଏୟାର ପାଇପ ଏବଂ ଖାଦ୍ୟ ନଳୀ ଏମିତିକି ଥାଇରଏଡ଼ ଗ୍ଲାଣ୍ଡକୁ ମଧ୍ୟ ଶରୀର ଭିତରୁ କଢାଯାଇ ତାକୁ ରିକନଷ୍ଟ୍ରକସନ କରାଯାଇଥିଲା । ଏମିତି କି ଇଣ୍ଟେଷ୍ଟାଇନ ବା ଅନ୍ତଃନଳୀର କିଛି ଅଂଶ କଢ଼ାଯାଇ ସେଥିରୁ ଏକ ନଳୀ ସାହାଯ୍ୟରେ ରିକନଷ୍ଟ୍ରକସନ୍ କରାଯାଇଥିଲା। ଯାହା ଫଳରେ ରୋଗୀ ଏବେ ସୁସ୍ଥ ଥିବା ସହ ଖାଦ୍ୟ ମଧ୍ୟ ଖାଇ ପାରୁଛନ୍ତି। ଆୟୀସାଙ୍କ ଏହି ଅପରେଶନ ଓଡ଼ିଶାରେ ପ୍ରଥମ ବୋଲି କହିଛନ୍ତି ଏମ୍ସର ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ।