ଭୁବନେଶ୍ବର: କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ବିଧାୟକ ସୁର ରାଉତରାୟଙ୍କ ଚ୍ୟାଲେଞ୍ଜ । ଦଳରେ ବିଶୃଙ୍ଖଳାକାରୀ ବା ଦଳ ବିରୋଧରେ ବୟାନବାଜି କରୁଥିବା ନେତା ଓ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ବୈଠକରେ ହୋଇଥିବା ନିଷ୍ପତ୍ତିକୁ ସ୍ବାଗତ କଲେ ସୁର । ତେବେ ଉପନିର୍ବାଚନରେ ହୋଇଥିବା ଡିଲ୍ କଥାକୁ ଦୋହରାଇ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ରାଜ୍ୟ କଂଗ୍ରେସରେ ବଢୁଛି ବିବାଦ । ଗତକାଲି (ରବିବାର) ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ଏକ ବୈଠକରେ ଦଳୀୟ ଅନୁଶାସନକୁ ମାନିବାକୁ ସମସ୍ତେ ବାଧ୍ୟ ବୋଲି କହିଥିଲେ । ଦଳରେ ବିଶୃଙ୍ଖଳାକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଏହାରି ଭିତରେ ଏବେ କଂଗ୍ରେସରେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ତେଜିବା ଭଳି ମନେ ହେଉଛି । ଗତକାଲି ଦଳର ଗୁରୁତ୍ବପୂର୍ଣ୍ଣ ବୈଠକରେ କିଛି ବିଧାୟକ ଅନୁପସ୍ଥିତ ଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜେ ବୈଠକ ସରିବା ପୂର୍ବରୁ ଚାଲିଯାଇଥିଲେ । ସେହିଭଳି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ବୈଠକରେ ଅନୁପସ୍ଥିତ ଥିଲେ ।