ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି । ଏହାସହ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ତଥା କେନ୍ଦ୍ରୀୟ ନେତୃବୃନ୍ଦ ରାଜ୍ୟକୁ ମାରାଥନ ଗସ୍ତରେ ଆସି ପ୍ରଚାର ଚଲାଇଛନ୍ତି । କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଚାର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।
ତେବେ ଜଟଣୀ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ସୁର ରାଉତରାୟ ନିର୍ବାଚନ ପାଇଁ ନେଇଛନ୍ତି ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ । ପ୍ରଚାର କାର୍ଯ୍ୟରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ତଥା ନିର୍ବାଚନୀ ଖର୍ଚ୍ଚକୁ ସେ ଶହୀଦଙ୍କ ଉଦ୍ଦେଶ୍ୟରେ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇଟିଭି ଭାରତର ନେତାଙ୍କୁ 5ଟି ପ୍ରଶ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏହି କଥା କହିଛନ୍ତି ।
ଦଳର ନିର୍ବାଚନ କମିଟି ନିଷ୍ପତ୍ତି ଅନୁସାରେ ସେ ଏହି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି । ପ୍ରଚାର କାର୍ଯ୍ୟରେ କୌଣସି ଅର୍ଥ ଖର୍ଚ୍ଚ ନ କରିବାକୁ କମିଟି ତାଙ୍କୁ କହିଛି । ବରଂ ଏହି ଅର୍ଥ ସଞ୍ଚୟ କରି ରଖି ଶହୀଦ ସିଆରଏଫ୍ ଯବାନଙ୍କ ପରିବାରକୁ ଦାନ କରାଯିବ ବୋଲି ସେ କହିଛନ୍ତି । ଲୋକଙ୍କ ପାଖକୁ ଦଳ ଯିବ ଏବଂ କେବଳ ହାତଯୋଡି ଭୋଟ୍ ଭିକ୍ଷା କରିବ । ଆଉ ଏଥିରେ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ନେଇ ଏକ ରିଲିଫ୍ କମିଟି ଗଠନ କରାଯାଇ ଶହୀଦଙ୍କୁ ଦାନ କରାଯିବ । ଏହାର ପ୍ରଭାବ କେବଳ ଓଡିଶାରେ ନୁହେଁ ସାରା ଦେଶରେ ପଡିବ ବୋଲି ସୁର କହିଛନ୍ତି ।