ଭୁବନେଶ୍ବର: ଦିନକୁ ବଢିବାରେ ଲାଗିଛି ଆତ୍ମହତ୍ୟା । ଅବସାଦ ଦେଖାଉଛି ଆତ୍ମହତ୍ୟାର ବାଟ । ବିଶେଷ କରି ଯୁବପିଢି ଏହାର ଶିକାର ହେଉଛନ୍ତି । କ୍ୟାରିୟର ଗଢିବାକୁ ଘର ଛାଡ଼ି ଆସିଥିବା ଯୁବକ, ଯୁବତୀ ପ୍ରେମରେ ପଡୁଛନ୍ତି । ସମ୍ପର୍କରେ ତିକ୍ତତା ଆସିବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ପ୍ରତିଦିନ ଆତ୍ମହତ୍ୟା ଜନିତ ଘଟଣା ଶୁଣିବାକୁ ମିଳୁଛି । ଯାହାର ଜ୍ବଳନ୍ତ ଉଦାହରଣ ସାଜିଛି ରାଜଧାନୀ ଭୁବନେଶ୍ବର । ନିକଟ ଅତୀତରେ ବହୁ ଆତ୍ମହତ୍ୟା ଘଟିଥିବାବେଳେ ବିଗତ ତିନି ଦିନରେ ଗଲାଣି ଦୁଇ ଛାତ୍ରୀଙ୍କ ଜୀବନ ।
ଗତ ୧୭ ତାରିଖ ଅପରାହ୍ନରେ ଚନ୍ଦକା ଥାନା ଅଞ୍ଚଳ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଓଲ୍ଡ ଟାଉଲ ନିବାସୀ ଅର୍ଚ୍ଚନା ଦାସ । ସେ ବିଏସସି ଡାଟା ସାଇନ୍ସର ଦ୍ବିତୀୟ ବର୍ଷର ଛାତ୍ରୀ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ପ୍ରେମ ଚାପରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେହିଭଳି ଗତ ୧୫ ତାରିଖରେ ଇନଫୋସିଟି ଥାନା ନନ୍ଦନ ବିହାରରେ ରହୁଥିବା କିଟ ୟୁନିଭର୍ସିଟିର ପିଏଚଡି ଛାତ୍ରୀ ତଥା ୟୁପି ନିବାସୀ ନିକିତା ତିଓ୍ବାରୀଙ୍କ ଭଡ଼ାଘରୁ ମୃତଦେହ ଉଦ୍ଧାର ହୋଇଛି ।
ରାଜଧାନୀରେ ବଢୁଥିବା ଆତ୍ମହତ୍ୟା ପ୍ରବଣତା ନେଇ ଏବେ ଚିନ୍ତା ପ୍ରକଟ ହୋଇଛି । ଗତ ମାର୍ଚ୍ଚ ୯ ତାରିଖରେ ଏୟାରଫିଲ୍ଡ ଥାନା ଜାମୁକୋଳିରେ ଜଣେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ଜାଭିୟର କଲେଜ ଅଫ ନର୍ସିଂ ଛାତ୍ରୀ ବଲାଙ୍ଗୀର ନିବାସି କୁନି ଆର୍ଥିକ ସ୍ଥିତି ନେଇ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ମାର୍ଚ୍ଚ ୨୯ ତାରିଖରେ ସହିଦନଗର ଥାନା ରମାଦେବୀ ବିଶ୍ବବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ପ୍ରଜ୍ଞା ମହାନ୍ତି ହଷ୍ଟେଲ ରୁମରେ ନିଜ ଜୀବନ ହାରିଥିଲେ ।