ଭୁବନେଶ୍ବର: ବଢ଼ିବାରେ ଲାଗିଛି ଛାତ୍ର ସଂସଦ ନିର୍ବାଚନ ବନ୍ଦ ତାତି । ଥମୁନି ଛାତ୍ର ଅଶାନ୍ତି । ଏହାରି ଭିତରେ ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ସୂଚନା ଦିଆଯାଇନାହିଁ । ଯାହାକୁ ନେଇ ତେଜିଛି ରାଜନୀତି । ଛାତ୍ର କଂଗ୍ରେସ ଓ ଏବିଭିପି ଏହାକୁ ତୀବ୍ର ବିରୋଧ କରିଛନ୍ତି । ପୂର୍ବରୁ ଅନେକ ଥର ଏନେଇ ଦାବି ହୋଇଛି । ହେଲେ ଏଥର ଶୀଘ୍ର ଛାତ୍ର ସଂସଦ ନିର୍ବାଚନ ନେଇ ତାରିଖ ଘୋଷଣା କର ବୋଲି ଚେତାବନୀ ଦେଇଛି ଏବିଭିପି । ସେପଟେ ବିଜୁ ଛାତ୍ର ଜନତା ଦଳ ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛି । ଏଭଳି ନିଷ୍ପତ୍ତି ପାଇଁ ସରକାର ଓ ଉଚ୍ଚ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ବିସିଜେଡି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।
'ଛାତ୍ରନେତାଙ୍କୁ ଭୟ କରୁଛନ୍ତି ବିଜେଡି ସରକାର': ପ୍ରକାଶ ପାଇଛି ଚଳିତବର୍ଷର ଉଚ୍ଚଶିକ୍ଷା ବିଭାଗର ବାର୍ଷିକ କ୍ୟାଲେଣ୍ଡର । ଏହି କ୍ୟାଲେଣ୍ଡରରେ କେଉଁ କେଉଁ ଦିନ ଛୁଟି ରହିବ, କେବେ ପରୀକ୍ଷା କରାଯିବ ଓ କେବେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ସେନେଇ ଉଲ୍ଲେଖ ରହିଛି । ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ଏଥର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯିବ ନାହିଁ । ଯାହାକୁ ନେଇ ରାଜନୈତିକ ତୁମ୍ବିତୋଫାନ ଆରମ୍ଭ ହୋଇଛି । ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି, "ରାଜ୍ୟ ସରକାର ଛାତ୍ରନେତାଙ୍କୁ ଭୟ କରୁଛନ୍ତି । ଛାତ୍ରନେତା ରାଜନୀତିକୁ ନଆସିବା ପାଇଁ ଏହି ଷଡ଼ଯନ୍ତ୍ର । କାରଣ ସବୁ ବର୍ଗଙ୍କୁ ଭୂଆଁ ବୁଲାଇବା ସମ୍ଭବ, ହେଲେ ଛାତ୍ର ବର୍ଗଙ୍କୁ ନୁହେଁ । ବିଜେଡି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଯଦି ଛାତ୍ର ସମାଜ ମୁହଁ ଖୋଲିବେ, ତେବେ ରାଜ୍ୟ ସରକାର ଭାଙ୍ଗିଯିବ ।"
ତୁରନ୍ତ ନିର୍ବାଚନ ଘୋଷଣା କରିବାକୁ ଏବିଭିପିର ଚେତାବନୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି, "ଦୀର୍ଘ ୬ ବର୍ଷ ଧରି ରାଜ୍ୟ ସରକାର ଓ ତାଙ୍କ ଉଚ୍ଚଶିକ୍ଷା ବିଭାଗ ଛାତ୍ରନେତାଙ୍କ ଭୃଣହତ୍ୟା କରିବାରେ ଲାଗିଛନ୍ତି । ଯାହା ଅତି ଦୁଃଖର ବିଷୟ । ହେଲେ ବହୁତ ଥର ଏନେଇ ଦାବି ହୋଇଛି । ଏଥର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ଘୋଷଣା କର ବୋଲି ବିଦ୍ୟାର୍ଥୀ ପରିଷଦ ଚେତାବନୀ ଦେଉଛି ।" ଯଦି ତୁରନ୍ତ ଏନେଇ ଘୋଷଣା ନହୁଏ, ତେବେ ଛାତ୍ର ଶକ୍ତିକୁ ସାମ୍ନା କରିବା ପାଇଁ ନବୀନ ପଟ୍ଟନାୟକ ପ୍ରସ୍ତୁତ ରୁହନ୍ତୁ ବୋଲି ସେ କହିଛନ୍ତି ।