ଭୁବନେଶ୍ବର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୬.୪୦% ରହିଥିବା ବେଳେ ମୋଟ ୫ ଲକ୍ଷ ୧୬ ହଜାର ୪୨୬ ପିଲା ପାସ୍ କରିଛନ୍ତି । ରେଜଲ୍ଟ ବାହାରିବା ପରେ ଭୁବନେଶ୍ବରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଛି । ରାଜଧାନୀର ୟୁନିଟ ୮ ସ୍ଥିତ ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ସଫଳତା ହାସଲ କରିଛନ୍ତି । ତେଣୁ ଛାତ୍ରଛାତ୍ରୀଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।
ସ୍କୁଲର ଛାତ୍ର ଓମ୍ ପ୍ରକାଶ ନାୟକ କହିଛନ୍ତି ଯେ, ପରୀକ୍ଷାରେ ଭଲ ରେଜଲ୍ଟ ହୋଇଛି । ଯେତିକି ଆଶା କରିଥିଲି ତାହା ହିଁ ହୋଇଛି । ଗୋଟିଏ ଦୁଇଟି ବିଷୟରେ ମାର୍କ କମି ଯାଇଛି । ତେବେ ଆଗକୁ ଜେଇଇ ପରୀକ୍ଷା ଦେଇ ଆଇଆଇଟି ପଢ଼ିବେ ଏବଂ ଭବିଷ୍ୟତରେ ଜଣେ ଭଲ ବୈଜ୍ଞାନିକ ହୋଇ ବାହାରିବେ ବୋଲି ଲକ୍ଷ୍ୟ ରଖିଥିବା ଜଣାଇଛନ୍ତି ଓମ୍ ।
ଶୁଭମ ଶର୍ମା ନାମକ ଆଉ ଜଣେ ଛାତ୍ର କହିଛନ୍ତି, ଦଶମ ପରୀକ୍ଷାରେ ସମସ୍ତଙ୍କର ଭଲ ରେଜଲ୍ଟ ହୋଇଛି । ସେ ୯୦ ପ୍ରତିଶତ ମାର୍କ ରଖିଛନ୍ତି । ଜୀବନରେ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆଗକୁ ଆହୁରି କଠିନ ପରୀକ୍ଷାର ସାମ୍ନା କରିବାକୁ ହେବ । ଆଗକୁ ଆଇଆଇଟିରେ ପାଠ ପଢିବା ପାଇଁ ତାଙ୍କର ଲକ୍ଷ୍ୟ ରହିଛି । ଛାତ୍ରୀ ସ୍ମିତାରାଣୀ ପଣ୍ଡା କହିଛନ୍ତି, ୬୦୦ ମାର୍କରୁ ୪୯୦ ମାର୍କ ରହିଛି । ଆହୁରି ମାର୍କ ରହିବାର ଆଶା ରହିଥିଲା । ବର୍ତ୍ତମାନ ଯାହା ବି ମାର୍କ ଆସିଛି ଭଲ ରହିଛି । ଆଗକୁ କିଭଳି ଭାବରେ ଆହୁରି ଭଲ ମାର୍କ ରଖିବି ଏବଂ ଭଲ ପାଠ ପଢିବି ତାହା ଉପରେ ଧ୍ୟାନ ଦେବି ।