ଭୁବନେଶ୍ବର:ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ । ନିକଟରେ ନର୍ସିଂ ଓ ପାରାମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ନର୍ସିଂ ଓ ପାରାମେଡିକାଲ ଛାତ୍ରଛାତ୍ରୀ । ଭଲ ପାଠ ଓ ଟ୍ରେନିଂ ନେଇ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, "ଆପଣମାନଙ୍କ ଅନୁରୋଧ ମୁଖ୍ୟମନ୍ତ୍ରୀ ତୁରନ୍ତ ରକ୍ଷା କରିଛନ୍ତି, ଆପଣମାନେ ଭଲ କାମ କରି ଓଡିଶାର ନାଁ ରଖନ୍ତୁ ।"
ସୂଚନା ଅନୁସାରେ, ନବୀନ ନିବାସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ ନର୍ସିଂ, ଫାର୍ମାସୀ ଓ ଆନୁସଙ୍ଗିକ ମେଡିକାଲ ଛାତ୍ରଛାତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ସେମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହିତ ଛାତ୍ରଛାତ୍ରୀମାନେ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି । "ଆପଣମାନେ ଭଲ ପାଠ ପଢନ୍ତୁ । ଭଲ ଟ୍ରେନିଂ ନିଅନ୍ତୁ । ଲୋକଙ୍କ ସେବା କରନ୍ତୁ । ରୋଗୀ ସେବାରେ ଜୀବନର ସାର୍ଥକତା ରହିଛି" ବୋଲି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।