ଭୁବନେଶ୍ବର: ମହିଳାଙ୍କୁ ସୁରକ୍ଷା ଦେବ ଆଲକହଲ ଡିଟେକ୍ଟର । ଖେଳପଡ଼ିଆ ହେଉ ଅବା ସିନେମା ହଲ୍ କିମ୍ବା ବଡ଼ ବଡ଼ କାର୍ଯ୍ୟକ୍ରମ, ସବୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ଆଲକହଲ ଡିଟେକ୍ଟର ମହିଳାଙ୍କୁ ସୁରକ୍ଷା ଯୋଗାଇବ । ସାଧାରଣତଃ ମହିଳାମାନେ ଏହିଭଳି ସ୍ଥାନକୁ ଏକୁଟିଆ ଯିବାକୁ ଭୟ କରିଥାନ୍ତି । ଅସାମାଜିକ ବ୍ୟକ୍ତି ନିଶାଦ୍ରବ୍ୟ ସେବନ କରି ସେମାନଙ୍କ ସହ ଅସଦାଚାରଣ କରିବାର ଭୟ ରହିଥାଏ । ଅନେକ ସମୟରେ ଏଭଳି ଘଟଣା ମଧ୍ୟ ନଜରକୁ ଆସେ । ଏହାକୁ ଦୃଷ୍ଟିରେ ରଖି କୌଶଳୀ କ୍ଲବ୍ ଛାତ୍ରଛାତ୍ରୀ ଆଲକହଲ ଡିଟେକ୍ଟର ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହା ମଦ୍ୟପାନ କରିଥିବା ବ୍ୟକ୍ତିଙ୍କୁ ସାଧାରଣ ଭାବରେ ଚିହ୍ନଟ କରିବ ।
କୌଶଳୀ କ୍ଲବର ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୩'ରେ ଏହି ଉପକରଣ ପ୍ରସ୍ତୁତ କରିଛନ୍ତି । ଏହି ଉପକରଣକୁ ଖେଳ ପଡ଼ିଆ ଏବଂ ସିନେମା ହଲ୍ର ପ୍ରବେଶ ପଥରେ ଲଗାଯିବ । ଯଦି ଜଣେ ବ୍ୟକ୍ତି ମଦ୍ୟପାନ କରି ଏହି ସ୍ଥାନରେ ପ୍ରବେଶ କରିବାକୁ ଚେଷ୍ଟା କରିବ ତେବେ ଏହି ଡିଟେକ୍ଟର ସଙ୍ଗେ ସଙ୍ଗେ ସୂଚୀତ କରିଦେବ । ଏହା ସହ ଉକ୍ତ ବ୍ୟକ୍ତି କେତେ ପରିମାଣର ମଦ୍ୟପାନ କରିଛନ୍ତି ତାହା ମଧ୍ୟ ଏହି ଡିଭାଇସ୍ ଦ୍ଵାରା ଜଣାପଡିଯିବ । ଯାହାଫଳରେ ନିଶାଦ୍ରବ୍ୟ ସେବନ କରିଥିବା ଲୋକଙ୍କୁ ଚିହ୍ନଟ କରିବା ସମ୍ଭବପର ହୋଇପାରିବ ଏବଂ ମହିଳାମାନେ ଏଭଳି ଲୋକଙ୍କଠାରୁ ସୁରକ୍ଷିତ ରହିପାରିବେ ।