ଭୁବନେଶ୍ବର:ଖଣ୍ଡଗିରି ସତ୍ୟସାଇ ସେବାସଂଘ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ସରକାରୀ ସ୍କୁଲ ଜମିରେ ଘରୋଇ ସ୍କୁଲ ଅକ୍ତିଆର କରିନେଇଥିବା ଅଭିଯୋଗ କରି ରାସ୍ତା ଅବରୋଧ କରାଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଛି ।
ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ତପୋବନ ଅଞ୍ଚଳରେ ସତ୍ୟସାଇ ସେବାସଂଘ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ମଦର ପବ୍ଲିକ ସ୍କୁଲ ସରକାରୀ ସ୍କୁଲକୁ ନିଜ କବଜାକୁ ନେଇଛି । ଫଳରେ ପିଲାଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏନେଇ ଛାତ୍ରଛାତ୍ରୀ କହିଛନ୍ତି, "ଅନେକ ସମୟରେ ମଦର ପବ୍ଲିକ ସ୍କୁଲରେ ଉଚ୍ଚ ସ୍ବରରେ ମାଇକ ବାଜୁଛି । ତେଣୁ ପାଠ ପଢାରେ ସମ୍ମୁଖୀନ ଭୋଗୁଛୁ । ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଏବଂ ଖେଳିବା ସମୟରେ ଅନେକ ସମସ୍ୟା ଦେଖାଦେଉଛି । ଖେଳିବା ସ୍ଥାନରେ ଘରୋଇ ସ୍କୁଲ ପାର୍କିଂ କରିଛନ୍ତି ।" ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି ।
ଏହା ମଧ୍ୟ ପଢ଼ନ୍ତୁ:ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ଦୈନିକ ୫୩୩ ଟଙ୍କା ବେତନ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ