ଭୁବନେଶ୍ବର : ରମାଦେବୀ ବିଶ୍ୱ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରୀ । ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ବିକ୍ଷୋଭ କରିଛନ୍ତି ଛାତ୍ରୀ । ଏପରିକି ଫାଟକରେ ପୋଷ୍ଟର ଲଗାଇ ହାତକୁ ହାତ ଧରାଧରି ହୋଇ ଛାତ୍ରୀମାନେ ଫାଟକ ସମ୍ମୁଖରେ ଠିଆ ହୋଇ ବିଶ୍ୱବିଦ୍ୟାଳୟର ପ୍ରବେଶ ପଥକୁ ବନ୍ଦ କରିଥିଲେ । ବିଶ୍ବବିଦ୍ୟାଳୟର ଦୁଇଟି ପ୍ରବେଶ ପଥ ଥିବା ବେଳେ ଗୋଟେ ପ୍ରବେଶ ପଥକୁ ତାଲା ପକାଇ ସମ୍ପୂର୍ଣ ବନ୍ଦ କରି ରଖିଥିଲେ ।
ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ବିଶ୍ବ ବିଦ୍ୟାଳୟ ଅଶାନ୍ତ ହୋଇ ରହିଥିଲା । ପାଖାପାଖି ୨ଘଣ୍ଟା ଧରି ଧାରଣା ଦେଇଥିଲେ ଛାତ୍ରୀ । ଆନ୍ଦୋଳନରତ ହଷ୍ଟେଲ ଅନ୍ତେବାସୀ କହିଛନ୍ତି, "ସେମାନଙ୍କ ଠାରୁ ନିୟମିତ ଭାବେ ଖାଇବା ବାବଦକୁ ଟଙ୍କା ନେଉଛନ୍ତି । ହେଲେ ଠିକ୍ ଭାବେ ଖାଇବା ମିଳୁନାହିଁ । କେତେବେଳେ ରୁଟି ଥିଲେ ତରକାରୀ ନାହିଁ ତ କେତେବେଳେ ଠିକ ଭାବରେ ଖାଇବା ଦିଆ ଯାଉନାହିଁ । ଏପରିକି ବିଭିନ୍ନ ସମୟରେ ନିମ୍ନମାନର ଖାଇବା ଦିଆଯାଉଛି । ଖାଦ୍ୟରେ ପୋକ ବହାରୁଛି । ସେନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଖାଦ୍ୟ ଦେବା ନାଁରେ ଶୋଷଣ କରାଯାଉଛି ।"