ଉଠାଦୋକାନୀଙ୍କୁ କରାଗଲା ଉଚ୍ଛେଦ ଭୁବନେଶ୍ବର: ବିଶ୍ୱକପ ହକି ପାଇଁ ଭୁବନେଶ୍ୱରରେ ଚାଲିଛି ଉଚ୍ଛେଦ ଅଭିଯାନ (Street vendors protest eviction) । ରାସ୍ତାର ଉଭୟ ପାର୍ଶ୍ଵରେ ୫୦ଫୁଟ ପର୍ଯ୍ୟନ୍ତ ବ୍ୟାପକ କରାଯାଉଛି ଉଚ୍ଛେଦ । ହେଲେ ଏହି ଉଚ୍ଛେଦ କିନ୍ତୁ ଉଠାଦୋକାନୀଙ୍କ ପାଇଁ କାଳ ସାଜିଛି । କାରଣ ସମୟ ନଦେଇ ଉଠାଦୋକାନୀଙ୍କ ଦୋକାନକୁ ମାଟିରେ ମିଶାଇ ଦେଇଛି ବିଏମସି । ଯାହାଦ୍ୱାରା କ୍ଷତିଗ୍ରସ୍ତ ହେବାସହ ରୋଜଗାର ହରାଇଛନ୍ତି ବହୁ ଉଠାଦୋକାନୀ ।
ଗୋଟେ ପଟେ ଖେଳ ପାଇଁ ବିଏମସି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରି ବାଃ ବାଃ ନେଉଥିବା ବେଳେ ଦୋକାନୀ କିନ୍ତୁ ଦୁର୍ଦ୍ଦିନରେ ଚଳୁଛନ୍ତି । ତେଣୁ ଥଇଥାନ ସହ କ୍ଷତିପୂରଣ ଦାବି କରି ଉଠାଦୋକାନୀ ଆନ୍ଦୋଳନ କରିଥିଲେ । ଆଉ ଏହି ଆନ୍ଦୋଳନକୁ ନେଇ ସାମୟିକ ସ୍ଥଗିତ ରହିଛି ଉଚ୍ଛେଦ ଅଭିଯାନ । ଥଇଥାନ ସହ କ୍ଷତିପୂରଣ ଦାବି କରିଛନ୍ତି ଉଚ୍ଛେଦ ହୋଇଥିବା ଉଠାଦୋକାନୀ ।
ବିଏମସିର ପରାମର୍ଶ ସ୍ଥାୟୀ ଦୋକାନ ନୁହଁ ଠେଲାରେ କର ବ୍ୟବସାୟ । ବର୍ଷ ବର୍ଷ ଧରି ରାସ୍ତାକଡରେ ଜବରଦଖଲ କରି ବ୍ୟବସାୟ କରି ଆସୁଥିଲେ ଉଠାଦୋକାନୀ । ଆଗକୁ ହକି ବିଶ୍ୱକପ ଥିବାରୁ ଟ୍ରାଫିକ ସମସ୍ୟା ଓ ସୌନ୍ଦର୍ଯ୍ୟକରଣ ଦୃଷ୍ଟିରୁ ଜାରି ରହିଛି ଉଚ୍ଛେଦ ଅଭିଯାନ। ରାସ୍ତାର ଉଭୟ ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ କରାଯାଉଛି ।
ଫଳରେ କ୍ଷତିଗ୍ରସ୍ତ ହୋଇଛନ୍ତି ଶହଶହ ଉଠାଦୋକାନୀ । ଉଚ୍ଛେଦ ପାଇଁ ସମୟ ନଦେବାରୁ ବହୁ ନଷ୍ଟ ସହିବାକୁ ପଡିଛି ସମସ୍ତଙ୍କୁ । ବିଏମସି ଓ ବିଡିଏର ଏଭଳି ପଦକ୍ଷେପକୁ ନାପସନ୍ଦ କରିଛନ୍ତି ଉଠାଦୋକାନୀ । ସେପଟେ ଥଇଥାନ ନକରି ଉଚ୍ଛେଦ ଅଭିଯାନକୁ ବିରୋଧ କରି ବିଏମସି କାର୍ଯ୍ୟାଳୟ ଘେରାଉ ସହ ଆନ୍ଦୋଳନକୁ ଓହ୍ଲାଇଲା ଉଠାଦୋକାନୀ ମହାସଂଘ । ଆଲୋଚନା ପରେ ୭ ଦିନ ପାଇଁ ସାମୟିକ ସ୍ଥଗିତ ରହିଛି ଉଚ୍ଛେଦ । ସୋମବାର ପୁଣି ହେବ ଆଲୋଚନା ।
ସୂଚନାମୁତାବକ ଭୁବନେଶ୍ୱରରେ ୧୬୦ଟି ଉଠାଦୋକାନୀ ସଙ୍ଘ ଥିବା ବେଳେ ବିଏମସି ମାତ୍ର ୧୬ଟି ଭେଣ୍ଡିଂ ଜୋନ କରିବାକୁ ଯୋଜନା କରିଛି । ଯାହା ଯଥେଷ୍ଟ ନୁହଁ । ଅନ୍ୟୁନ ୧୫୦ଟି ଭେଣ୍ଡିଂ ଜୋନ କରି ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ଦାବି କରିଛି ସଙ୍ଘ। ବିଶ୍ୱକପ ଆୟୋଜନ ଓ ଏଥିପାଇଁ ସଂଘ ବିରୋଧ କରୁନଥିବା ବେଳେ ଉଠାଦୋକାନୀଙ୍କୁ ଥଇଥାନ କରାଗଲେ ସେମାନେ ବିଏମସିକୁ ସବୁ କ୍ଷେତ୍ରରେ ସହଯୋଗ କରିବେ ବୋଲି କହିଛନ୍ତି । ଅନ୍ୟପଟେ ପୁରା ଘଟଣାକୁ ନେଇ ମେୟର କହିଛନ୍ତି ରାସ୍ତାକଡ଼ରେ ଜବରଦଖଲ ଯୋଗୁଁ ଟ୍ରାଫିକ ଓ ପରିମଳ ଜନିତ ସମସ୍ୟା ସୃଷ୍ଟି ହେଉଛି ।
ସାମୟିକ ଭାବେ ଉଚ୍ଛେଦ ସ୍ଥଗିତ ରଖାଯାଇଛି । ତେବେ ଜବରଦଖଲ କରି ସ୍ଥାୟୀ ଦୋକାନ ନୁହେଁ ବରଂ ଠେଲା ଗାଡ଼ିରେ ବ୍ୟବସାୟ କରିବାକୁ ପରାମର୍ଶ ଦେଇଛନ୍ତି ମେୟର । ଅଧିକ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରାଯିବ । ଠେଲାଗାଡ଼ି ବା କାର୍ଟ ଯୋଗାଇଦେବା ପାଇଁ କେତେକ ବ୍ୟାଙ୍କ ସହ ବିଏମସିର ଆଲୋଚନା ଚାଲିଛି । ବିଶ୍ୱକପର ସଫଳ ଆୟୋଜନ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ସେ କାମନା କରିଛନ୍ତି । ସେପଟେ ଉଚ୍ଛେଦ ପରବର୍ତ୍ତୀ ସମସ୍ତ ଅଞ୍ଚଳର ସୁରକ୍ଷା ଓ ପୁନଃ ଜବରଦଖଲକୁ ରୋକିବା ପାଇଁ ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବେ ୯ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଗଠନ କରି ବିଭିନ୍ନ ଏରିଆ ବଣ୍ଟା ଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର