ଭୁବନେଶ୍ବର: ବିଭିନ୍ନ ଅପରାଧରେ ପୀଡ଼ିତଙ୍କୁ ସହାୟତା ରାଶି ପ୍ରଦାନ କରୁଛନ୍ତି ସରକାର । ପୀଡିତାଙ୍କୁ ମିଳୁଥିବା ସହାୟତା ଟଙ୍କା ହେଉଛି ବାଟମାରଣା । ପୀଡିତାଙ୍କ ଟଙ୍କା ବାଟମାରଣା ପଛରେ ଅଛନ୍ତି କିଛି ଅସାଧୁ ପୋଲିସ ଓ ଆଇନଜୀବୀ । କିଛି ପୋଲିସ ଓ ଆଇନଜୀବୀଙ୍କ ପୋଲ ଖୋଲି ଚର୍ଚ୍ଚା ସୃଷ୍ଟି କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଆଇନ ସେବା ସଂସ୍ଥା ‘କ୍ଲାପ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀଙ୍କ ବୟାନ ବିଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି । ନିର୍ଦ୍ଦୋଷ ଲୋକ ଫସୁଥିବାରୁ ସେମାନଙ୍କୁ ସଚେତନ କରାଇବା ଲାଗି ସରପଞ୍ଚ ଓ ସମିତିସଭ୍ୟଙ୍କୁ ଦାୟିତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ‘ସାକାର’ ଯୋଜନା ମାଧ୍ୟମରେ ପୀଡିତ, ପୀଡିତାଙ୍କୁ ସହାୟତା ଯୋଗାଉଛନ୍ତି ସରକାର । କିଛି ପୁଲିସ ଓ ଆଇନଜୀବୀଙ୍କ ଅସାଧୁ ମେଣ୍ଟ ମିଛ ମାମଲାକୁ ସତ କରି ସରକାରୀ ସହାୟତାର ଲାଭ ଉଠାଉଛନ୍ତି । ଫଳରେ ନିର୍ଦ୍ଦୋଷ ବ୍ୟକ୍ତି ମାମଲାରେ ଛନ୍ଦି ହେଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାୟକ ହେବା ଦିନରୁ ମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ନିକଟକୁ ଅନେକ ଅଭିଯୋଗ ଆସିଛି । ବହୁ ଲୋକ କ୍ଷତିପୂରଣ ସହାୟତା ପାଇଁ ଆବେଦନ କରିଛନ୍ତି । ଯାହା ଭିତରେ ଅଧିକାଂଶ ଯୌତୁକ ନିର୍ଯାତନା ଓ ଆଟ୍ରୋସିଟି ମାମଲା ରହିଛି । ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଲୋକଙ୍କୁ ମିଛ ମାମଲାରେ ଛନ୍ଦିବା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ସହାୟତାରେ ପୁଲିସ ଉପରେ ଚାପ ପକାଇ ଆଟ୍ରୋସିଟି ମାମଲା ରୁଜୁ କରାଯାଇଛି । ଏମିତିକି ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ୩ ଟି ବିବାଦୀୟ ଅଭିଯୋଗ ଆସିଥିଲା । ଅନେକ ଘଟଣାରେ ମାମଲାକୁ ସତ ପ୍ରମାଣିତ କରିବା ପାଇଁ ପୀଡ଼ିତଙ୍କ ନିକଟରୁ ଆଗୁଆ କମିଶନ ନିଆଯାଉଛି । କଳେବଳେ କୌଶଳେ ମାମଲା ସତ ପ୍ରମାଣିତ କରି ସରକାରୀ ସହାୟତାର ଅସାଧୁ ଲାଭ ହାସଲ କରୁଛନ୍ତି । ସରକାରଙ୍କ ସହାୟତା ବାବଦରେ ବାବଦରେ ପୀଡ଼ିତ ସଚେତନ ନୁହଁନ୍ତି । ମାନହାନୀ ମାମଲା କରିଥିବା ବ୍ୟକ୍ତି ସରକାର ଦେଉଥିବା 2 ଲକ୍ଷ ଟଙ୍କାରୁ ଆଇନଜୀବୀଙ୍କ ଜରିଆରେ 50 ହଜାର ଟଙ୍କା ପାଇ ଖୁସି ହୋଇଯାଉଛି । ଏହାଦ୍ୱାରା ନିର୍ଦୋଷ ଲୋକଟି ଫସୁଥିବା ବେଳେ ଅନ୍ୟପଟେ ସରକାରୀ ପାଣ୍ଠିର ଅଯଥା ଖର୍ଚ୍ଚ ହେଉଛି । ତେଣୁ ଆଇନ ସେବା ସହାୟତା ଦେଉଥିବା ବ୍ୟକ୍ତି ଓ ଅନ୍ୟମାନେ ଏବାବଦରେ ସଚେତନ ହୋଇ କାମ କରିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି ।