ଭୁବନେଶ୍ବର: ଓଡିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କର ସ୍ମୃତି ବହନ କରୁଛି ଅନୁଗୋଳ ସ୍ଥିତ ବାଜିରାଉତ ଛାତ୍ରାବାସ । ଛାତ୍ରାବାସର ଉନ୍ନତିକରଣ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରାଜ୍ୟ ରାଜସ୍ବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ ।
ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କର ନିର୍ମାଣାଧୀନ ପୂର୍ଣ୍ଣା ବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଆସନ୍ତା ଗାନ୍ଧୀ ଜୟନ୍ତୀରେ ବାଜି ରାଉତ ଛାତ୍ରାବାସ ସ୍ଥିତ ସଭାଗୃହରେ ଅବସ୍ଥାପିତ କରାଯିବ । ଏ ସଂପର୍କରେ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି । ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କର ମାସିକ ଷ୍ଟାଇପେଣ୍ଡ ବୃଦ୍ଧି, ସୋମାନଙ୍କ ପାଇଁ ନିୟମିତ ଭାବେ ସବ୍ସିଡି ଚାଉଳ ବ୍ୟବସ୍ଥା ଓ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ପଦକ୍ଷେପ ନିଆଯିବାକୁ ଆଲୋଚନା କରାଯାଇଛି । ଛାତ୍ରାବାସର ଆନୁସଙ୍ଗିକ ମରାମତି, ଭିତ୍ତିଭୂମି ନିର୍ମାଣ ସମ୍ପର୍କରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଛାତ୍ରାବାସ ସଂଲଗ୍ନ ପରିସରକୁ ଆଗାମୀ ଦିନରେ ଅଧିକ ଉନ୍ନତି ପାଇଁ ପଦକ୍ଷେପ ନିଆଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି ।