ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ କୁମ୍ଭାର ମହାସଂଘର ରଣହୁଙ୍କାର । ୬ ଦଫା ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଲା ସଂଘ । ମାଟିକଳା ବୋର୍ଡ ଗଠନ, କୁମ୍ଭାରଜାତି ମାଟି କାରିଗରଙ୍କୁ କାରିଗର ମାନ୍ୟତା, କାରିଗରୀ ଭତ୍ତା ଘୋଷଣା ଭଳି ପ୍ରମୁଖ ଦାବି ପୂରଣ ନେଇ ଆନ୍ଦୋଳନ ଜୋରଦାର ହୋଇଛି । ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ ।
ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ୬ ଦଫା ଦାବି ନେଇ ଭୁବନେଶ୍ବର ଗାନ୍ଧୀମାର୍ଗରେ ବିଶାଳ ଆନ୍ଦୋଳନ କରିଛି ରାଜ୍ୟ କୁମ୍ଭାର ମହାସଂଘ । ଗୁରୁବାର ଦିନ ବିଶାଳ ଶୋଭାଯାତ୍ରାରେ ଆସି ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟ ସରକାରଙ୍କୁ ନିଜର ଦାବି ଜଣାଇଛି । ତେବେ କୁମ୍ଭାର ଜାତି ଅଭିଯୋଗ ଅନୁଯାୟୀ, ଭାରତ ସ୍ୱାଧୀନତାର ୭୨ ବର୍ଷ ଧରି କୁମ୍ଭାର ଜାତି ସେବା ଯୋଗାଇଆସୁଥିବା ବେଳେ ଆଜିବି ମୌଳିକ ଅଧିକାରରୁ ସେମାନେ ବଞ୍ଚିତ ହୋଇ ରହିଛନ୍ତି । ମାଟି ପାତ୍ର, ମାଟି ହାଣ୍ଡି, ମାଠିଆ ଆଦି ପୂଜା ସାମଗ୍ରୀ ଠାରୁ ଆରମ୍ଭ କରି ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ସମାଜର ସେବା କରୁଛନ୍ତି । ଗାଁ ଠାକୁରାଣୀଙ୍କଠାରୁ ଆରମ୍ଭ କରି ପୂଜା ପାର୍ବଣ ଶ୍ରୀ ଜଗନାଥଙ୍କ ସେବାରେ ଆମ ହାତ ତିଆରି ସାମଗ୍ରୀ ଲାଗି ହେଉଛି । ହେଲେ ବର୍ତ୍ତମାନ ବିଜ୍ଞାନର ଓ ଆଧୁନିକତାର ଆକ୍ରମଣ ଯୋଗୁ କଂସା ପିତଳ ଓ ଷ୍ଟିଲର ବ୍ୟବହାର ବଢ଼ି ଚାଲିଛି ଓ ମାଟିର ଆଦର କମିଛି । ବିକ୍ରି କମିବା ସହ କୌଳିକ ବୃତ୍ତି ଲୋପ ପାଉଛି ଯେଉଁଥିପାଇଁ ବ୍ୟବସାୟ ମଧ୍ୟ କମି କମି ଯାଉଛି ବୋଲି କହିଛନ୍ତି କୁମ୍ଭାର ମହାସଂଘ ସଦସ୍ୟ । କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିବା କୁମ୍ଭାର ମହାସଂଘ, ରାଜ୍ୟ ସରକାରଙ୍କୁ ଦାବି ଶୁଣିବା ପାଇଁ ନିବେଦନ କରିଛି ।
ଏହାମଧ୍ୟ ପଢନ୍ତୁ..ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କୁ କଂଗ୍ରେସ ଓ ବିଜେପିର ସମର୍ଥନ