ଭୁବନେଶ୍ବର: ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ଉନ୍ନୟନମୂଳକ ଯୋଜନା ମାନ ତ୍ୱରାନ୍ୱିତ ହେବ । ଏହା ସହ ‘ଅର୍ବାନ ଓଡ଼ିଶା’ର ରୂପାନ୍ତରଣ ସାକାର ହେବ । ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଭାଗିତା ସହରାଞ୍ଚଳ ସୁଶାସନର ଦୁଇ ଚକ୍ଷୁ ସଦୃଶ । ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ 5ଟି ମନ୍ତ୍ରରେ ଅନୁପ୍ରାଣିତ ହୋଇ ଗୋଷ୍ଠୀ ନେତୃତ୍ୱରେ ପରିଚାଳିତ ପ୍ରମୁଖ ଉଦ୍ୟମ ହେବା ଆବଶ୍ୟକ । ଫଳରେ ଓଡ଼ିଶା ପାଇଁ ଆହୁରି ଗୌରବ ଆଣିବ । ନିର୍ବାଚିତ ପୌର ପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ଏହା କହିଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ।
ଲୋକସେବା ଭବନ କନଭେନସନରେ ନିର୍ବାଚିତ ପୌର ପ୍ରତିନିଧିଙ୍କ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଉଦ୍ଘାଟନ କରିଛନ୍ତି । କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର ତଥା କେନ୍ଦ୍ରାପଡ଼ା ଆଦି ୫ଟି ଜିଲ୍ଲାର ୧୨ଟି ପୌର ସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ କାଉନସିଲର ଯୋଗ ଦେଇଛନ୍ତି । ମନ୍ତ୍ରୀ ନିର୍ବାଚିତ ପୌର ପ୍ରତିନିଧିଙ୍କୁ ‘ସିଟି ଲିଡ଼ର୍ସ’ ରୂପେ ଆଖ୍ୟାୟିତ କରିଛନ୍ତି । ସେମାନେ ଲୋକଙ୍କ ଦ୍ଵାରା ନିର୍ବାଚିତ ଏବଂ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ଲୋକାଭିମୁଖୀ ହୋଇଥିବାରୁ ସେମାନେ ଆଖି ଓ କାନ ସଦୃଶ । ସହରାଞ୍ଚଳ ବିକାଶ ନିମନ୍ତେ ପୌର ପ୍ରତିନିଧି ସରକାରଙ୍କୁ ସକାରାତ୍ମକ ପରାମର୍ଶ ଦେବା ଉଚିତ । ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ଉନ୍ନୟନମୂଳକ ଯୋଜନା ମାନ ତ୍ୱରାନ୍ୱିତ ହେବା ସହ ‘ଅର୍ବାନ୍ ଓଡ଼ିଶା’ର ରୂପାନ୍ତରଣ ସାକାର ହେବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନଗର ଉନ୍ନୟନ କ୍ଷେତ୍ରରେ ଅଗ୍ରଗତି ଆଣିଥିବା ସମସ୍ତ ନିର୍ମାଣ କାର୍ଯ୍ୟରେ ସ୍ଵଚ୍ଛତା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରତିନିଧି ମାନଙ୍କ ଐକାନ୍ତିକ ଉଦ୍ୟମ ଉପରେ ଜୋର୍ ଦେଇଛନ୍ତି ।
ଏହାବି ପଢନ୍ତୁ- Padmapur By Poll: ରୋହିତ ପୂଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ପ୍ରଶ୍ନ କଲା ବିଜେପି