ଭୁବନେଶ୍ବର: ରାଜ୍ୟସ୍ତରୀୟ ଓଡିଶା ଦିବସ ପାଳନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ୨୦୩୬ ସୁଦ୍ଧା ଆମ ରାଜ୍ୟ ହେବ ଶ୍ରେଷ୍ଠ ଓଡ଼ିଶା ଓ ସଶକ୍ତ ଓଡ଼ିଶା । କାରଣ ଆଗାମୀ ୧୩ ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶା ଗଠନକୁ ପୂରିବ ୧୦୦ ବର୍ଷ । ଏନେଇ ୨୦୩୬ ଓଡ଼ିଆ ଜାତିର ବର୍ଷ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାନସଭାର ବାଚସ୍ପତି ଓ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀ ଏବଂ ସଚିବ ଉପସ୍ଥିତ ଥିଲେ ।
ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଓଡ଼ିଆ ଭାବେ ଆମ ଗୌରବମୟ ଇତିହାସ, ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସାଥିରେ ଧରି ଆମେ ବଢୁଛୁ । ଓଡ଼ିଶା ଦିବସ ଆମ ସାଢ଼େ ଚାରି କୋଟି ଓଡିଆଙ୍କର ମହୋତ୍ସବ । ଓଡ଼ିଶା ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଭାବେ ରାସ୍ତା ଦେଖାଇଥିଲା । ଓଡ଼ିଶା ଆଜି ଅନେକ କ୍ଷେତ୍ରରେ ସାରା ଦେଶରେ ଆଗରେ ରହିଛି । ବିପର୍ଯ୍ୟୟ ମୁକାବିଲା ଓ କ୍ରୀଡ଼ାର ବିକାଶରେ ଏକ ନମ୍ବର । ଓଡ଼ିଶା ସାମାଜିକ ସୁରକ୍ଷା ଦେବାରେ ଏକ ନମ୍ବର, ଅର୍ଥନୀତି, ପୁଞ୍ଜି ବିନିଯୋଗ, ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଉତ୍ପାଦନ ଆଦି କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ବିଗତ ୨୩ ବର୍ଷରେ ଆମର ମୁଣ୍ଡପିଛା ଆୟ ୧୦ ଗୁଣା ବୃଦ୍ଧି ପାଇଛି । ଏଥିପାଇଁ ଓଡ଼ିଶାବାସୀଙ୍କ ସାମୁହିକ ଉଦ୍ୟମ ରହିଛି ।" ତେବେ ୨୦୩୬ ସୁଦ୍ଧା ଓଡ଼ିଶା ପାଇଁ ଆମ ସ୍ବପ୍ନ ନିଶ୍ଚୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିବ୍ୟକ୍ତ ରଖିଛନ୍ତି ।