ଓଡିଶା

odisha

ETV Bharat / state

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ, ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ - ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ। ପତକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ୍ । ଅଧିକ ପଢନ୍ତୁ

State level republic day celebrated
State level republic day celebrated

By

Published : Jan 26, 2023, 10:35 AM IST

Updated : Jan 26, 2023, 1:56 PM IST

ଭୁବନେଶ୍ବର:ଆଜି ଦେଶ ପାଳୁଛି ୭୪ ତମ ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠୁ ଉଡୁଛି ତ୍ରିରଙ୍ଗା । ଜାତୀୟ ସଙ୍ଗୀତରେ ଗୁଞ୍ଜରିତ ହେଲା ଦେଶ । ଆଜି ରାଜଧାନୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ବରସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ସେହିପରି ବରିଷ୍ଠ ଆଇଏଏସ ଆଇପିଏସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।

ତେବେ ସୁରକ୍ଷା ଦୃଷ୍ଟିରୁ ଆଜି ଗାନ୍ଧୀମାର୍ଗ ସହ ଯୋଡି ହେଉଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଥିଲା । ସକାଳ ସମୟରେ କଡା ସୁରକ୍ଷା ମଧ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଗାନ୍ଧୀମାର୍ଗରେ ପହଞ୍ଚିଥିଲେ । ଏହାପରେ ୮ଟା ୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ରାଜ୍ୟପାଳ । ପରେ ପରେ ପରେଡ ପ୍ରଦର୍ଶନ ହେବା ସହ ରାଜ୍ୟର ବିଭିନ୍ନ କଳା‌କୌଶଳ ଗାନ୍ଧୀମାର୍ଗରେ ପ୍ରଦର୍ଶିତ ହୋଇଥିଲା।

ବିନା କଟକଣାରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ପରେଡ ଗ୍ରାଉଣ୍ଡରେ ସ୍ଥାନ‌ ପାଇଥିଲା ହକି ବିଶ୍ବକପ। ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ କାର୍ଯ୍ୟକ୍ରମରେ କମାଣ୍ଡର ଭାବେ ଦାୟିତ୍ବ ନେଇଥିଲେ କେଶିଙ୍ଗା ଏସଡିପିଓ ୟଶ ପ୍ରତାପ ଶ୍ରୀମାଲ । ''ଗତ ଦୁଇ ବର୍ଷ ଭଲ ଭାବେ ପରେଡ କରିପାରିନଥିଲୁ। ଚଳିତ ବର୍ଷ ବିନା କୋଭିଡ କଟକଣାରେ ପରେଡ ହୋଇଛି। ସୁରକ୍ଷା ଦୃଷ୍ଟି କୋଣରୁ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ,19ଟି ୟୁନିଫର୍ମ କଣ୍ଟିଜେଣ୍ଟ ବା ଦଳ ପରେଡ ପରିବେଷଣ କରିଥିଲେ ବୋଲି କହିଛନ୍ତି କେଶିଙ୍ଗା ଏସଡିପିଓ । ''

ପରେଡରେ ୧୯ଟି ସୁରକ୍ଷା ବିଭାଗର ଦଳ ତଥା ପୋଲିସର ଟ୍ରାଫିକ ପୋଲିସ, ୭ମ ଓ ୬ଷ୍ଠ ବାଟାଲିୟନ, ହୋମଗାର୍ଡ, ଓଡ୍ରାଫ, ଅଗ୍ନିଶମ ସହ ସ୍ୱତନ୍ତ୍ର ବାଟାଲିୟନ, ନାଭାଲ ସହ ଆର୍ମି ଓ ଆନ୍ଧ୍ରପ୍ରଦେଶର ପୋଲିସର ଏକ ଟିମ୍‌ ସାମିଲ ହୋଇଥିଲେ । ଏଥିସହ ନାଭାଲ ବ୍ୟାଣ୍ଡ ସହ ପୋଲିସ ବ୍ୟାଣ୍ଡ ମଧ୍ୟ ଉପସ୍ଥିତ ରହିଥିଲେ । ୨୫ଟି ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ। ମହର୍ଷି ଡେୟାର ଡେଭିଲ ଟିମ୍ ସହ ଓଡ଼ିଶା ସ୍କେଟିଂ ଓ ପାରମ୍ପରିକ ବାଦ୍ୟ ନୃତ୍ୟରେ ରାୟଗଡ଼ା, ଗଞ୍ଜାମ ଓ ବୌଦ୍ଧର ମୋଟ ୪ଟି ଦଳ ସହ ୯ଟି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ ହୋଇଥିଲା । ୮ଟି ବିଭାଗ ତଥା କୃଷି ବିଭାଗ , ସ୍ବାସ୍ଥ୍ୟ, ଶିକ୍ଷା,ପଞ୍ଚାୟତିରାଜ, ବୟନ ତଥା ହସ୍ତତନ୍ତ୍ର, ପୂର୍ତ୍ତ ବିଭାଗ ସହ ପର୍ଯ୍ୟଟନ ବିଭାଗର ବିକାଶର ଚିତ୍ରକୁ ପ୍ରଜ୍ଞାପନ ମେଢ ଭାବେ ପ୍ରଦର୍ଶିତ କରାଯିବା ସହ ଓଏମସିର ସାମାଜିକ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 26, 2023, 1:56 PM IST

ABOUT THE AUTHOR

...view details