ଭୁବନେଶ୍ବର:ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି । ଭଞ୍ଜକଳା ମଣ୍ତପ ଠାରେ ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଆରମ୍ଭ ହୋଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହାକୁ ଉଦଘାଟନ କରିବା ସହ ଲୋକକଳାର ପରମ୍ପରା ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ବୋଲି କହିଥିଲେ । ଓଡିଶାର ଭାଷା, ସାହିତ୍ୟ ସଂସ୍କୃତି ଓ ପରମ୍ପରା ସହ ରାଜ୍ୟର ଲୋକକଳା ଓତଃପ୍ରୋତ ଭାବେ ଜଡିତ । ଏହାର ଲୋକପ୍ରିୟତା ବଜାୟ ରଖିବାର ସମୟ ଆସିଛି । ସେହିଭଳି ଗଣପର୍ବ ରଜ ମଧ୍ୟ ମୌଳିକତା ହରେଇ ନାହିଁ ଏହି ପର୍ବରେ ଆଧୁନିକତା ପ୍ରବେଶ ନକରୁ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପାତ୍ର ।
ଲୁପ୍ତପ୍ରାୟ ଲୋକକଳାକୁ ପୁନଃ ଉଜ୍ବୀବିତ କରିବା ସହ ସଂପୃକ୍ତ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୧୯ ମସିହାରୁ ଜୁନ 14କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, '' ଆଧୁନିକତାର ଚାକଚକ୍ୟରେ ଲୋକକଳା ଏହାର ମୌଳିକତା ଅକ୍ଷୁର୍ଣ୍ଣ ରଖିବାରେ ସଫଳ ହୋଇଛି । ଲୋକକଳାର ସୁରକ୍ଷା ଓ ଏହାକୁ ଲୋକାଭିମୁଖୀ କରିବା ପାଇଁ ଭବିଷ୍ୟତ ପିଢି ପ୍ରୟାସୀ ହେବା ଆବଶ୍ୟକତା ରହିଛି । କଳାକାର ମାନଙ୍କ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରାମାଞ୍ଚଳ ଓ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ଲୋକକଳା ଦିବସ ପାଳନ ନିମନ୍ତେ ପ୍ରୋତ୍ସାହିତ କରିବାରେ ସଂସ୍କୃତି ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।''