ଭୁବନେଶ୍ବର: ଏବେ ଆକ୍ଟିଭ୍ ମୋଡରେ ଜିଏସଟି ଅଧିକାରୀ । ଉଭୟ ସେଣ୍ଟ୍ରାଲ ଓ ଷ୍ଟେଟର ଅଧିକାରୀ ଲଗାତାର ଭାବେ କରୁଛନ୍ତି ରେଡ୍ । ଶୁକ୍ରବାର DGGI ଟିମ୍ ରାଜ୍ୟର କିଛି କଳା ପଥର ଖଣିରେ କ୍ରସର ବ୍ୟବସାୟ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ମାରିଥିବା ବେଳେ ଶନିବାର ଖଣିଜ ପଦାର୍ଥ ପରିବହନ କରୁଥିବା ମାଇନିଂ ଟ୍ରାନ୍ସପୋର୍ଟ ସଂସ୍ଥା ଉପରେ ରାଜ୍ୟ ଜିଏସଟି ବିଭାଗ ଟିମ୍ ରେଡ ମାରିଛି । ଅର୍ଥାତ୍ ଖଣି କାରବାର ଉପରେ ବ୍ୟବସାୟ କରୁଥିବା ସଂସ୍ଥା ଏବେ ଜିଏସଟି ସ୍କାନରରେ । ଯାହାର ଆଧାରରେ ମା' ହିଙ୍ଗୁଳା ମାଇନିଂ ଟ୍ରାନ୍ସପୋର୍ଟ ଏଜେନ୍ସି ଉପରେ ରେଡ ମାରିଛି ରାଜ୍ୟ ଜିଏସଟି ଟିମ୍ ।
ଏନେଇ ମା' ହିଙ୍ଗୁଳା ଟ୍ରେଡର ସମେତ ତାଳଚେର ହାଣ୍ଡିଧୁଆ ଅଫିସ, ଢେଙ୍କାନାଳ ସହ ଭୁବନେଶ୍ବରରେ ମଧ୍ୟ ତନାଘନା କରିଛନ୍ତି ଷ୍ଟେଟ ଜିଏସଟି ଟିମ୍ । ଅର୍ଥାତ୍ ହିଙ୍ଗୁଳା ଟ୍ରେଡସର ଗୋଟିଏ ସ୍ଥାନ ସମେତ ହିଙ୍ଗୁଳା ଟ୍ରାନ୍ସପୋର୍ଟର ଦୁଇଟି ସ୍ଥାନ ଓ ଏହାର ମାଲିକ ରହୁଥିବା ଭୁବନେଶ୍ବରର ମଞ୍ଚେଶ୍ବରସ୍ଥିତ ଏନବିସିସି ଏମ୍ପରିଆର ନିକଟ ଫ୍ଲାଟରେ ଛାନଭିନ କରାଯାଇଛି । ରେଡ ବେଳେ ଷ୍ଟେଟ ଜିଏସଟି ଟିମ୍ ବିଭିନ୍ନ କାଗଜ ପତ୍ର ସହ କମ୍ପ୍ୟୁଟର ହାର୍ଡ ଡିସ୍କ, ଇନ୍ସୁରାନ୍ସ ବଣ୍ଡ ଓ ଆକାଉଣ୍ଟ୍ ସମ୍ପର୍କିତ ଟ୍ରାନ୍ଜାକ୍ସନ ରିପୋର୍ଟ ଓ ଅନ୍ୟାନ୍ୟ ସେଲ ପରଚେଜ୍ ଭାଉଚର ଜବତ କରିଛନ୍ତି । ଆଡଭାନସ ଓ ବର୍ତ୍ତମାନର ମନି ରିସିଡ ବୁକ୍ ସହ କିଛି ପୁରୁଣା ରେଜିଷ୍ଟର ମଧ୍ୟ ଜବତ ହୋଇଛି । ତେବେ ବାର୍ଷିକ ୫୦ କୋଟି ଟନ ଓଭର ଥିବା ଏହି ସଂସ୍ଥା ସଠିକ ଭାବେ ଜିଏସଟି ଭରୁନଥିବା ଓ ଜିଏସଟି ବାବଦରେ ସେମାନେ ଦେଖାଉଥିବା ରିପୋର୍ଟ ଓ ତାଙ୍କର ପ୍ରକୃତ ରିପୋର୍ଟ ସହ ମେଳ ଖାଉନଥିବା ଅଭିଯୋଗକୁ ଭିତ୍ତି କରି ଏନେଇ ଛାନଭିନ କରିଛନ୍ତି ଜିଏସଟି ଅଧିକାରୀ । ଏହି ଖଣିଜ ପଦାର୍ଥ ପରିବହନ କରୁଥିବା ସଂସ୍ଥା ଟାକ୍ସ ଫାଙ୍କିଛନ୍ତି କି ନାହିଁ, ସେ ବାବଦରେ ଷ୍ଟେଟ ଜିଏସଟିର ଅଧିକାରୀ ଜୋରଦାର ଚଢ଼ାଉ କରି କାଗଜପତ୍ର ଖୋଳତାଡ଼ କରିଛନ୍ତି ।