ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଛନ୍ତି ଅନେକ ପଦକ୍ଷେପ : ଶ୍ରମମନ୍ତ୍ରୀ ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆନ୍ତର୍ଜାତିକ ଶ୍ରମ ଦିବସ ଜୟଦେବ ଭବନରେ ପାଳନ କରାଯାଇଛି । ସମାରୋହରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଆମ ରାଜ୍ୟ ତଥା ଦେଶର କ୍ରମାଗତ ପ୍ରଗତିରେ ଶ୍ରମିକମାନେ ନିରବଚ୍ଛିନ୍ନ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି । ରାଜ୍ୟ ସରକାର ଶ୍ରମିକମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ନିମନ୍ତେ ଗୁରୁତ୍ବ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ନିର୍ମାଣ, ପ୍ରବାସୀ, ମହିଳା ଶ୍ରମିକ, ଶିଳ୍ପସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଓଡ଼ିଶାର ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ମାଧ୍ୟମରେ ଯୋଗ୍ୟ ଅଣ ସଂଗଠିତ ଶ୍ରମିକମାନଙ୍କର ପଞ୍ଜିକରଣ, ବିଭାଗର ପରିଶ୍ରମ ପୋର୍ଟାଲ ଅଧୀନରେ ୫୨ଟି ଅନଲାଇନ ସେବା ସହିତ ନୂତନ ଭାବେ ଅତିରିକ୍ତ ୧୫ ଟି ସେବା ଏବଂ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ନିର୍ମାଣ ଶ୍ରମିକ ପୋର୍ଟାଲ ମାଧ୍ୟମରେ ଅନଲାଇନ ସେସ ଆଦାୟ ମଡ୍ୟୁଲର ଲୋକାର୍ପଣ କରାଯାଇଛି । ଫଳରେ ଶ୍ରମିକମାନଙ୍କ ନିମନ୍ତେ ବିଭିନ୍ନ ସହାୟତା ଓ ସେବା ସହଜରେ ଉପଲବ୍ଧ ହେବ ।
ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ସେ କହିଛନ୍ତି ଯେ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ପଞ୍ଜିକୃତ ନିର୍ମାଣ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି । ଅଦ୍ୟାବଧି ୩୮ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ଉକ୍ତ ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କ କଲ୍ୟାଣ ପାଇଁ ୨୯୩୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସେମାନଙ୍କ ଆର୍ଥିକ ଓ ସାମାଜିକ ମାନଦଣ୍ଡ ବୃଦ୍ଧିରେ ବହୁଳ ମାତ୍ରାରେ ସହାୟକ ହୋଇପାରିଛି ।
ରାଜ୍ୟର ଶ୍ରମିକମାନଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ କରିଥିବା ବିଭିନ୍ନ ଶ୍ରମିକ ସଂଗଠନର ୫ ଜଣ ନେତା ଲକ୍ଷ୍ମୀଧର ସାହୁ, ସୌଭାଗ୍ୟ ପ୍ରଧାନ, ଗୌରାଙ୍ଗ ଚରଣ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ମିଶ୍ର ଓ ବୀରେନ୍ଦ୍ର ପ୍ରସାଦ ଦାସଙ୍କୁ ବିଜୁ ଶ୍ରମିକ ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଶାସନ ସଚିବ ଆର.ଏସ ଗୋପାଳନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରମ କମିଶନର ଡ. ଏନ. ଥିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ବରିଷ୍ଠ ପଦାଧିକାରୀ, ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦ ତଥା ବହୁ ସଂଖ୍ୟାରେ ଶ୍ରମିକମାନେ ଯୋଗ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର