ଭୁବନେଶ୍ବର: ଲୋକସଭା ନିର୍ବାଚନ ଆମ ହାତରେ ଅଛି । ତାହା ସମୟ ଅନୁସାରେ ହେବ । ବିଧାନସଭା ନିର୍ବାଚନ ଓଡ଼ିଶା ସରକାର ଚାହିଁଲେ ହେବ । ରାଜ୍ୟ ସରକାର ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ୨୦୨୪ ନିର୍ବାଚନ ପାଇଁ ଏଭଳି ଦମ୍ଭୋକ୍ତି ବାଢ଼ିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ପାଖେଇ ଆସୁଛି ୨୦୨୪ ବିଧାନସଭା ନିର୍ବାଚନ । ଯାହାକୁ ନେଇ ରାଜନୈତିକ ଦଳ ଏବେଠୁ ସଜେଇ ହେଲେଣି । ରଣନୀତି ପ୍ରସ୍ତୁତ କରି ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ବିଧାନସଭା ନିର୍ବାଚନ ଲାଗି ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ସରକାରଙ୍କ ଗତିବିଧି ଜଣା ପଡୁଛି ଆଗୁଆ ନିର୍ବାଚନ ହେବ । ବିଧାନସଭା ନିର୍ବାଚନ ଅଢେଇରୁ ତିନି ମାସ ଭିତରେ ହୋଇପାରେ । ବିଧାନସଭା ନିର୍ବାଚନ ସେମାନେ କରିବେ । ଲୋକସଭା ନିର୍ବାଚନ ଆମ ହାତରେ ଅଛି । ତାହା ସମୟ ଅନୁସାରେ ହେବ। ବିଧାନସଭା ନିର୍ବାଚନ ଓଡ଼ିଶା ସରକାର ଚାହିଁଲେ ହେବ । ରାଜ୍ୟ ସରକାର ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି । ଏହାର କାରଣ ରହିଛି । ବିଭିନ୍ନ ପ୍ରକାର ସର୍ଭେ ଅନୁସାରେ ଓଡ଼ିଶାରେ ମୋଦିଙ୍କ ଯେଭଳି ଭାବେ ଲୋକପ୍ରିୟତା ବଢି ଯାଇଛି । କାଳେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେଲେ ପ୍ରଭାବିତ ହେବ । ସେଥିପାଇଁ ସେମାନେ ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି । ବିଜେପି ଏହାକୁ ଫୁଲ ଦମରେ ପ୍ରସ୍ତୁତ ହୋଇରହିଛି । ଏଥର ଲୋକ ନିର୍ବାଚନ ଲଢ଼ିବେ ।"