ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି ବଜ୍ରପାତଜନିତ ଦୁର୍ଘଟଣା । ଏଥିରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ବଜ୍ରପାତଜନିତ ଦୁର୍ଘଟଣା କିପରି ରୋକ ଲାଗି ଏନେଇ ତତ୍ପରତା ପ୍ରକାଶ ପାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗତକାଲି(ରବିବାର) ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ହ୍ରାସ ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅତିରିକ୍ତ ରିଲିଫ୍ କମିଶନର ଡ. ଜ୍ଞାନ ଦାସ ଓ ଯୁଗ୍ମ ରିଲିଫ କମିଶନର ପଦ୍ମନାଭ ବେହେରା ଉପସ୍ଥିତ ଥିଲେ । ସେହିପରି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଯୋଗ ଦେଇଛନ୍ତି । ବଜ୍ରପାତ, ବିଜୁଳି ଓ ବର୍ଷା ସଂପର୍କରେ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ମିଳିପାରୁଛି । ଏହି ସତର୍କ ସୂଚନା ସମସ୍ତ ଜିଲ୍ଲାପାଳମାନଙ୍କୁ ଇମେଲ ଓ ହ୍ୱାଟସଆପ ମାଧ୍ୟମରେ ଆଗୁଆ ଅବଗତ କରାଯାଉଛି । ବିଭିନ୍ନ ଜିଲ୍ଲାରୁ ବଜ୍ରପାତଜନିତ ଦୁର୍ଘଟଣାର ଖବର ଆସୁଥିବାବେଳେ ସେ ସଂପର୍କରେ ସତର୍କ ସୂଚନା ପାଇବା ମାତ୍ରେ ତୁରନ୍ତ ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଏ ବାବଦରେ ଅବଗତ ହୋଇପାରିଲେ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ । ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳଙ୍କୁ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।