ଭୁବନେଶ୍ବର:ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୧୯ ବ୍ୟାଚ ଓଡ଼ିଶା ପ୍ରଶାସନିକ ସେବାର ୩୬ ଜଣ ପ୍ରୋବେସନରଙ୍କ ପ୍ରଶିକ୍ଷଣ ସମାପ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଏକ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗ ଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଉତ୍ତମ ଆଚରଣ ପ୍ରଦର୍ଶନ କରି ନିଷ୍ଠାର ସହ ଓ ନ୍ୟାୟ ସଙ୍ଗତ ଭାବେ କାର୍ଯ୍ୟ ସଂପାଦନ କରିବା, ସୁବ୍ୟବହାର ପୂର୍ବକ ନିଜର ଭାବମୂର୍ତ୍ତି ଓ ସୁନାମ ବଜାୟ ରଖିବାକୁ କହିଛନ୍ତି ।
ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଓ ନୂତନ ସମୃଦ୍ଧ ଓଡିଶା ଗଠନରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆଗାମୀ ଦିନରେ ନିଜକୁ କିପରି ଲୋକମାନଙ୍କ ସେବାରେ ନିୟୋଜିତ କରିପାରିବେ ସେ ସମ୍ପର୍କରେ ପରାମର୍ଶ ଦେଇ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏହି ସମାବେଶରେ ନୂତନ ଭାବେ ଯୋଗ ଦେଇଥିବା ୬ ଜଣ ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବିଶ ଓ ଭାରତୀୟ ଅର୍ଥ ସେବାର ୫ ଜଣ ଶିକ୍ଷାନବିଶ ଉପସ୍ଥିତ ଥିଲେ ।
ଓଡ଼ିଶା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଛନ୍ତି । ପ୍ରୋବେସନରମାନଙ୍କୁ ସାଧୁତା ଓ ଏକାଗ୍ରତାର ସହ କାର୍ଯ୍ୟ କରିବା ନେଇ ଶପଥ ପାଠ କରାଇଛନ୍ତି । ସେ କହିଛନ୍ତି ଯେ, ଜଣେ ଅଧିକାରୀ ସ୍ବେଚ୍ଛାଚାରିତା ମନୋଭାବାପନ୍ନ ନହୋଇ କିପରି ଭଲ ଲୋକସେବକ ହୋଇପାରିବ ଏହି ପ୍ରଶିକ୍ଷଣ ସେଥିପାଇଁ ଉଦ୍ଦିଷ୍ଟ । ରାଜ୍ୟ ସରକାରଙ୍କ ‘୫-ଟି’ ଆଧାରରେ କାର୍ଯ୍ୟ ସଂପାଦନକୁ ଗୁରୁତ୍ବ ଦେବା ସହ ଗାନ୍ଧିଜୀଙ୍କର ଟାଲିସମାନର ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଅଧିକାଂଶ ଅଧିକାରୀ ବୈଷୟିକ ଜ୍ଞାନକୌଶଳର ବିଷୟର ଛାତ୍ରଛାତ୍ରୀ ହୋଇଥିବା ଯୋଗୁଁ ସେମାନେ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଭଲ କାମ କରିପାରିବେ ବୋଲି ସେ କହିଛନ୍ତି ।