ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଲିଉଡ ଫିଲ୍ମ ବଜରଙ୍ଗୀ ଭାଇଜାନ୍ ପରି ଆଉ ଏକ କାହାଣୀ । ଦୀର୍ଘ ୧୬ ବର୍ଷ ଧରି ନିଖୋଜ ଥିବା ମୁକ ଓ ବଧିର ଭାଇକୁ ଖୋଜି ପାଇଛି ସୁଦୂର ୟୁପିରେ ଥିବା ଭଉଣୀ । ଆଉ ଏଥିରେ ସହଯୋଗ କରି ୭୦ ବର୍ଷର ବୃଦ୍ଧଙ୍କୁ ତାଙ୍କ ନିଜ ଘର ୟୁପିକୁ ଫେରାଇବାରେ ଅସଲ ଭୂମିକା ନିଭାଇଛନ୍ତି ଭୁବନେଶ୍ବରର ଏକ ସାମାଜିକ ଅନୁଷ୍ଠାନ ଓ କିଛି ସାମାଜିକ କର୍ମୀ ।
ଦୀର୍ଘ ୧୬ ବର୍ଷ ପୂର୍ବରୁ ଗୟାରୁ ନିଖୋଜ ହୋଇଥିଲେ ଉତ୍ତରପ୍ରଦେଶର ଔରଙ୍ଗାବାଦ ଅଞ୍ଚଳର ଗୁଡୁ ସିଂ । ପାଣି ଭାର ନେଇ ବୋଲବମ ଯାଇଥିବା ବେଳେ ସେହିଠାରୁ ନିଖୋଜ ହୋଇଯାଇଥିଲେ ଗୁଡୁ । ସେବେଠାରୁ ନା ସେ ଘରକୁ ଫେରିଛନ୍ତି, ନା ତାଙ୍କ ଘରଲୋକ ତାଙ୍କ ପତା ପାଇଛନ୍ତି । କଥା କହି ପାରୁନଥିବା କି ଶୁଣି ପାରୁନଥିବା ବା ଲେଖାପଢ଼ା ଜାଣିନଥିବା ଗୁଡୁ ନିଖୋଜ ହେବା ପରଠୁ ବଞ୍ଚିବା ପାଇଁ ଅନେକ ସଂଗ୍ରାମ କରି ଦିନେ ଦୁର୍ଘଟଣାର ଶିକାର ହୋଇ କ୍ଷତ ବିକ୍ଷତ ଅବସ୍ଥାରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପଡ଼ିଥିଲେ । ନିଜର ନାଁ କହି ପାରୁନଥିବା, କିଛି ଶୁଣି ପାରୁନଥିବା ବା ଲେଖି ପାରୁନଥିବା ଗୁଡୁଙ୍କ ଅସହାୟତା ଦେଖି ତାଙ୍କୁ ସହଯୋଗର ହାତ ବଢ଼ାଇଥିଲା ସହାୟ ସାମାଜିକ ଅନୁଷ୍ଠାନ । ଏହି ଅନୁଷ୍ଠାନ ଗୁଡୁଙ୍କୁ ନେଇ ନିଜ ଆଶ୍ରମରେ ରଖିଥିଲେ, ଯେଉଁଠାରେ ଅସହାୟ ଲୋଙ୍କୁ ସାହାରା ଦିଆଯାଇଥାଏ । ତେବେ ସେଠାରେ ରହିବା ପରେ ଗୁଡୁଙ୍କୁ ଅନେକ ସମୟରେ ତାଙ୍କ ପରିଚୟ ପାଇଁ ପଚରାଉଚରା କରନ୍ତି ସହାୟର କର୍ମଚାରୀ ଓ ସାମାଜିକ କର୍ମୀ ପ୍ରଣତୀ ମିଶ୍ର । ତେବେ ଦୀର୍ଘ ଦିନ ଧରି ଚୁପ୍ ଥିବା ଗୁଡୁ ଦିନେ ସାମାଜିକ କର୍ମୀ ପ୍ରଣତୀ ମିଶ୍ରଙ୍କୁ ମୋବାଇଲରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଫଟୋ ଦେଖି କିଛି କହିବାକୁ ଚେଷ୍ଟା କରିଥିଲେ । ଏହାପରେ ସେ ଉତ୍ତରପ୍ରଦେଶର ହୋଇଥିବା ସନ୍ଦେହ କରି ସେଠାକାର ଏକ ସମ୍ବାଦପତ୍ରରେ ଗୁଡୁଙ୍କ ଫଟୋ ସହିତ ନିରୁଦ୍ଦିଷ୍ଟ ଖବର ଦିଆଯାଇଥିଲା ।