ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ର ହୋଇପାରୁନି ଶତ ପ୍ରତିଶତ ସଫଳ ରୂପାୟନ । ହିତାଧିକାରୀମାନେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଶେଷ କରିପାରୁନାହାନ୍ତି ଘର । ଏହାର ପ୍ରକୃତ କାରଣ କଣ ଖୋଜିବା ସହିତ ଆଗାମୀ ଦିନରେ ଯୋଜନାର ସଫଳତା ନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଯୋଜନାର ତୃତୀୟ ପକ୍ଷ ମାଧ୍ୟମରେ ଗ୍ରାଉଣ୍ଡ ଜିରୋରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ସମୀକ୍ଷା । ଏହାକୁ ନେଇ ଗତକାଲି ବିଏମସି ଅଧୀନରେ ଥିବା ହିତାଧିକାରୀଙ୍କୁ ନେଇ ବିଏମସି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ହୋଇଯାଇଛି ।
ଏହି ସମୀକ୍ଷା ବୈଠକରେ ସବ କମିଟି ଗଠନ ସହିତ ଜନଶୁଣାଣି କରି ୪୫ ଦିନରେ କେନ୍ଦ୍ରକୁ ରିପୋର୍ଟ ଦେଵ ତୃତୀୟ ପକ୍ଷ ବୋଲି କହିଛି । ଭାରତରେ ସମସ୍ତଙ୍କ ପାଇଁ ଗୃହ ବା 'ହାଉସିଂ ଫର ଅଲ୍' ଲକ୍ଷ୍ୟ ନେଇ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ଏହି ଯୋଜନା । ନିଜସ୍ବ ଜମି ଥିବା ଗରିବ ଲୋକଙ୍କୁ ୩୨୨ ବର୍ଗଫୁଟର ଗୃହ ନିର୍ମାଣ ପାଇଁ ଏହି ଯୋଜନାରେ ସରକାର ସହାୟତା କରିବାକୁ ଯାଇ ୩ ଲକ୍ଷ ୨୦ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ସେଥିରୁ ସରକାରୀ ଭାବେ ଅର୍ଥାତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଢ଼ ଲକ୍ଷ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ।
ଅବଶିଷ୍ଟ ୧ ଲକ୍ଷ ହିତାଧିକାରୀଙ୍କୁ ବିନିଯୋଗ କରିବାକୁ ପଡିବ । ଆଉ ଏହି ଯୋଜନାରେ ନିର୍ଦ୍ଧାରିତ ୪ ମାସ ମଧ୍ୟରେ ଗୃହ ନିର୍ମାଣକାର୍ଯ୍ୟ ଶେଷ ହେଲେ ହିତାଧିକାରୀଙ୍କୁ ମିଳିବ ୨୦ ହଜାର ଟଙ୍କାର ବୋନସ । ଯୋଜନାର ଏହି ସବୁ ଲକ୍ଷ୍ୟକୁ ନେଇ ୨୦୨୨ ସୁଦ୍ଧା ଯୋଜନା ଶେଷ କରିବାକୁ ଲକ୍ଷ୍ୟ ଥିବାବେଳେ ବିଭିନ୍ନ କାରଣରୁ ଦୀର୍ଘ ବର୍ଷ ପରେ ମଧ୍ୟ ଯୋଜନା ସମ୍ପୂର୍ଣ୍ଣ ହୋଇପାରିନାହିଁ । ବହୁ ହିତାଧିକାରୀଙ୍କ ଘର ଅଧାପନ୍ତରିଆ ଭାବେ ନିର୍ମାଣ ନହୋଇ ପଡିରହିଛି । ଏହାର କାରଣ ଖୋଜିବା ସହିତ ପ୍ରତିକାର କରିବାକୁ ଯାଇ ୩ୟ ପକ୍ଷ ମାଧ୍ୟମରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ସମୀକ୍ଷା ।
ଏହା ବି ପଢନ୍ତୁ- ଆଦିବାସୀଙ୍କ ମହାସମ୍ମିଳନୀ; SDCରେ ସାମିଲ ହେବ ଆଉ 14 ଜିଲ୍ଲା