ଭୁବନେଶ୍ବର:ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହାକୁ ନେଇ ଦେଖା ଦେଇଛି ସବୁଠି ଉତ୍ସାହ । ଦୀପାବଳିର ସନ୍ଧ୍ୟା ସମୟରେ ଛୁଆ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଦୀପ ଜଳାଇ ଓ ବାଣ ଫୁଟାଇ ଦୀପାବଳି ସ୍ଵାଗତ କରିଥାଆନ୍ତି । ଏଥିପାଇଁ କୌଣସି ପ୍ରକାର ଅଘଟଣକୁ ମୁକାବିଲା କରିବା ପାଇଁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ବାଣଫୁଟାରେ ଆହତଙ୍କ ପାଇଁ ସ୍ବତନ୍ତ୍ର ଭାବରେ ହସ୍ପିଟାଲରେ ଏକ ଡାକ୍ତରୀ ଦଳ ନିୟୋଜିତ ରହିବା ସହ ଆହତମାନଙ୍କ ଚିକିତ୍ସା ଲାଗି ୧୦ଟି ସ୍ଵତନ୍ତ୍ର ବେଡର ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ବାୟୁ ପ୍ରଦୂଷଣକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ଯେ ବିଶେଷ କରି ହୃଦ୍ରୋଗୀ ଏବଂ ଶ୍ୱାସରୋଗୀଙ୍କ ପାଇଁ ଉଭୟ ଶବ୍ଦ ଓ ଧୂଆଁ ହାନିକାରଣ ଅଟେ । ଏଥି ପାଇଁ ସେମାନେ ଏନେଇ ଯଥାସମ୍ଭବ ସତର୍କ ରହିବା ସହ ଧୂଆଁ ଓ ଶବ୍ଦ ଠାରୁ ନିଜେ ଦୂରେଇ ରହିବା ଆବଶ୍ୟକ ଏବଂ ଦୀପାବଳିରେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା ଆବଶ୍ୟକ । ବାୟୁ ପ୍ରଦୂଷଣ ଯୋଗୁଁ ଧଇଁସଇଁ ଅନୁଭବ କଲେ ଏନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ତୀବ୍ର ଆଲୋକକାରୀ ଓ ଶବ୍ବକାରୀ ବାଣ ଠାରୁ ଛୋଟ ପିଲାଙ୍କୁ ଦୂରରେ ରଖିବା ସହ ଯଦି ବାଣ ଫୁଟାଇଲାବେଳେ ଆଖିରେ ଆଘାତ ଲାଗେ, ତାହେଲେ ପାଣିରେ ହାଲୁକା ଭାବେ ଆଖିକୁ ଧୋଇବାକୁ କୁହାଯାଇଛି । ଯଦି କୌଣସି ଗମ୍ଭୀର ସମସ୍ୟା ଦେଖାଦିଏ ତେବେ ତୁରନ୍ତ ମେଡ଼ିକାଲ ଆସି ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।