ଭୁବନେଶ୍ବର:ସାବିତ୍ରୀ ଉପଲକ୍ଷେ ପତ୍ନୀଙ୍କ ପାଇଁ ଶାଢୀ କିଣିବାକୁ ଚାହୁଛନ୍ତି କି । ଏକାମ୍ର ହାଟରେ ଖୋଲି ଯାଇଛି ସ୍ବତନ୍ତ୍ର ହସ୍ତତନ୍ତ ମେଳା । ଯାଆନ୍ତୁ ମନ ପସନ୍ଦର ଶାଢୀ କ୍ରୟ କରନ୍ତୁ । ସାବିତ୍ରୀ ବ୍ରତ ଉପଲକ୍ଷେ ଉଦଘାଟିତ ହୋଇଛି ସ୍ବତନ୍ତ୍ର ହସ୍ତତନ୍ତ ମେଳା । ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ଭୁବନେଶ୍ବର ଏକାମ୍ର ହାଟରେ ସ୍ବତନ୍ତ୍ର ହସ୍ତତନ୍ତ ମେଳା 2023 ଉଦଘାଟିତ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତୁବାୟ ସମିତି, ଏସଏଚଜି ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ଲୁଗାର ବିକ୍ରି ବୃଦ୍ଧି କରିବା ସହ ନିୟମିତ କାମ ଯୋଗାଇ ଦେବା ନେଇ ରାଜ୍ୟ ସରକାର ପୋଗି 2023-23 ଯୋଜନାରେ ଏହି ମେଳା ଅନୁଷ୍ଠିତ ହୋଇଛି । ଏହି ମେଳାକୁ ବୟନ ଶିଳ୍ପ ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣା ସାହୁ ଉଦଘାଟିତ କରିଛନ୍ତି । ସାବିତ୍ରୀ ବ୍ରତ ପାଇଁ 34ଟି ଷ୍ଟଲ ଲାଗିଛି ।
ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନୁମୋଦିତ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ବାରା ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ଏହି ସ୍ବତନ୍ତ୍ର ହସ୍ତତନ୍ତ ମେଳା-୨୦୨୩ ଭୁବନେଶ୍ବର ସ୍ଥିତ ଏକାମ୍ର ହାଟ ଠାରେ ଆୟୋଜନ କରାଯାଇଛି । ଏହି ମେଳାରେ ସମ୍ବଲପୁରୀ ଶାଢ଼ୀର ବିଭିନ୍ନ ଡିଜାଇନର ଶାଢ଼ୀ ପ୍ରଦର୍ଶିତ ହେଉଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି, ଏସ୍ଏଚ୍ଜି ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ଲୁଗା ବିକ୍ରୟ କରାଯାଉଛି । ବିଶେଷ ଭାବେ ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପୋହି ଯୋଜନାରେ ଏହା ଅନୁଷ୍ଠିତ ହୋଇଛି । ଅନ୍ୟପଟେ ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ବାରିପଦା, ବାଲେଶ୍ୱର, ପାଟଣାଗଡ, ନୟାଗଡ, ଖୋର୍ଦ୍ଧା ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୩୪ଗୋଟି ତନ୍ତବାୟ ସମିତି, ଏସ୍ଏଚ୍ଜି, ପୋହିର ବୁଣାକାର ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନ ଓ ବିକ୍ରୟ କରିବାପାଇଁ ସାମିଲ ହୋଇଛନ୍ତି । ୩୪ଟି ଷ୍ଟଲରେ ବୁଣାକାର ଉତ୍ପାଦିତ ଲୁଗାର ପ୍ରଦର୍ଶନ କରିଛନ୍ତି ।