ହାଇଦ୍ରାବାଦ: ଓଡିଶାର ମୁଖ୍ୟପର୍ବ ମଧ୍ୟରୁ ରଜ ହେଉଛି ଅନ୍ୟତମ । ଏହା ଏକ ଗଣପର୍ବ । ଏହାକୁ 3 ଦିନ ଧରି ପାଳନ କରାଯାଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟରେ ରଜ ସଂକ୍ରାନ୍ତି, ତୃତୀୟରେ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ରଜ ଆସିବା ମାସକ ଆଗରୁ ଏହାର ପ୍ରସ୍ତୁତିରେ ଲାଗି ପଡିଥାନ୍ତି ଆବାଳ-ବୃଦ୍ଧ-ବନିତା । ତେଣିକି ସେ ପିଠା ପ୍ରସ୍ତୁତି ହେଉ କିମ୍ବା ଦୋଳି ବନ୍ଧା ହେଉ । ରଜ ପାଳନ କରିବାରେ ଏକପ୍ରକାର ଅଲଗା ମଜା ଥାଏ । 3 ଦିନିଆ ରଜ ପାଳିବାକୁ ସମସ୍ତେ ଯେପରି ଅନାଇ ବସିଥାନ୍ତି । କାରଣ ଏହି ରଜରେ ଖାଇବା ଠାରୁ ଆରମ୍ଭ କରି ଖେଳ ପର୍ଯ୍ୟନ୍ତ ମଉଜ ହିଁ ମଉଜ । ପୁରୁଷମାନେ ଖୋ-ଖୋ, କବାଡି, ତାସ୍ ଖେଳରେ ବ୍ୟସ୍ତ ଥିବାବେଳେ ମହିଳା ଓ ଯୁବତୀମାନେ ସାଜସଜ୍ଜା ଓ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟସ୍ତ ଥାଆନ୍ତି ।
ଓଡିଆ ଘରେ ପ୍ରାୟ ସମୟରେ ପିଠା ତିଆରି ହେଉଥିଲାବେଳେ ରଜରେ ମୁଖ୍ୟତଃ ଭାବେ ଭଳିକିଭଳି ପିଠା ପ୍ରସ୍ତୁତ ହୋଇଥାଏ । ଗାଁ ଠାରୁ ସହର ସବୁଆଡ ପିଠାର ବାସ୍ନାର ମହକିଥାଏ । ତେଣିକି ସେ ସୁଜି କାକରା ହେଉ କିମ୍ବା ମଣ୍ଡା-ଆରିସା । ମୁଆଁ ପିଠା ହେଉ ଅବା କରଞ୍ଜି । ଓଡିଆ ଘରର ସମସ୍ତ ପିଠାର ସ୍ବାଦ ବେଶ୍ ନିଆରା । ଏହି ପିଠା ଓଡିଶା ବାହାରେ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସେହି ପ୍ରକାର ସ୍ବାଦ ଆସି ନ ଥାଏ । ତେବେ ଚାଲନ୍ତୁନା ଜାଣିବା ଓଡିଆ ଘରେ ରଜ ଭଳି ଦିନରେ କେଉଁ କେଉଁ ପିଠା ପ୍ରସ୍ତୁତ କରାଯାଇଥାଏ....
ମଣ୍ଡା ପିଠା:
ମଣ୍ଡା ପିଠା ସମସ୍ତଙ୍କର ଭାରି ପ୍ରିୟ । ଏଥିରେ ତେଲ ବ୍ୟବହାର ହେଉ ନ ଥିବାରୁ ଏହା ଶରୀର ପକ୍ଷେ ସ୍ବାସ୍ଥ୍ୟକର । ଏହା ସମ୍ପୂର୍ଣ୍ଣ ସିଝା ପ୍ରଣାଳୀରେ ହୋଇଥାଏ । ଏହା ଅରୁଆ ଚାଉଳ ଗୁଣ୍ଡରେ ପ୍ରସ୍ତୁତ ହୋଇଥାଏ । ଭଳିକି ଭଳି ମଣ୍ଡା ପିଠା ପ୍ରସ୍ତୁତ ହୋଇଥାଏ । ମଟର-ଆଳୁ, ବନ୍ଧାକୋବି, ଫୁଲକୋବି-ଆଳୁ, ମୁଗ-ଗୁଡ, ଦାନ୍ତନିକିଟା(ବିରି ଆଣରେ ପ୍ରସ୍ତୁତ), କଟାଆଳୁ ମସଲା, ନଡିଆ-ଗୁଡ, ଛେନା-ଗୁଡ, ରାଶି-ଗୁଡ, କୋଳଥ-ଗୁଡ ଆଦି ପୁର ଦିଆଯାଇ ମଣ୍ଡା ପିଠା ତିଆରି କରାଯାଇଥାଏ ।
କେମିତି ପ୍ରସ୍ତୁତ କରିବେ...
ପ୍ରଥମେ ଅରୁଆ ଚାଉଳକୁ ଗୋଟେ ରାତି ବତୁରାଇ ଦିଅନ୍ତୁ । ସକାଳେ ଏହାକୁ ଭଲଭାବେ ଧୋଇ ଦେଇ ପବନରେ ନଚେତ୍ ଖରାରେ ଶୁଖାଇ ଦିଅନ୍ତୁ । ଏଥିରୁ ଭଲଭାବେ ପାଣି ଶୁଖିଗଲା ପରେ ଏହାକୁ ଗୁଣ୍ଡ କରନ୍ତୁ, ମନେ ରଖିବେ ଯେମିତି ଏଥିରେ ଖଦଡ ନ ରହିଯାଏ । ନଚେତ୍ ପିଠା ସିଝିଲାବେଳେ ହିଁ ଭାଙ୍ଗି ଯିବାର ସମ୍ଭାବନା ଥାଏ । ଇଟିଲି ଛାଞ୍ଚରେ ଥିବା ଥାକ ଗୁଡିକୁ ପ୍ରଥମେ କାଢି ଦିଅନ୍ତୁ । ପରେ ସେଥିରେ ଆନୁମାନିକ ପାଣି ଗରମ କରନ୍ତୁ । ଏବେ ନିଜ ମନମୁତାବକ ପୁର ପ୍ରସ୍ତୁତ କରନ୍ତୁ । କଢେଇରେ କିଛି ପାଣି ଗରମ କରି ସ୍ବାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ, ପାଣି ଭଲଭାବେ ଗରମ ହୋଇଗଲା ପରେ ସେଥିରେ ଗୋଟିଏ ହାତରେ ଚାଉଳ ଗୁଣ୍ଡ ପକାନ୍ତୁ ଓ ଅନ୍ୟ ହାତରେ ଏହାକୁ ଗୋଳାନ୍ତୁ। ଖଳି ପ୍ରସ୍ତୁତ ହୋଇଗଲା ପରେ ଏହାକୁ ତେଲ ଲଗା ହୋଇଥିବା ଏକ ପାତ୍ରରେ କାଢି ଦିଅନ୍ତୁ । ଖଳି ଥଣ୍ଡା ହୋଇଗଲା ପରେ ପୁର ଦେଇ ପିଠା ପ୍ରସ୍ତୁତ କରନ୍ତୁ । ପୂର୍ବରୁ ଗରମ ହୋଇଥିବା ଇଟିଲି ଛାଞ୍ଚର ଥାକରେ ପିଠା ଗୁଡିକୁ ସିଝିବା ପାଇଁ ରଖି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ମଣ୍ଡା ପିଠା ।
ସୁଜି କାକରା:
ମଣ୍ଡା ପିଠା ଭଳି ସୁଜି କାକରା ପ୍ରସ୍ତୁତିରେ ବେଶୀ ସମୟ ଲାଗି ନ ଥାଏ । ଏହା ଖୁବ୍ କମ୍ ସମୟ ଓ ଖୁବ୍ କମ୍ ଖର୍ଚ୍ଚରେ ହୋଇଥାଏ । ତେଣୁ ଯେ କୌଣସି ପର୍ବ ପର୍ବାଣୀ ହେଲେ ସଭିଏଁ ସୁଜି କାକରା ପ୍ରସ୍ତୁତ କରିବାକୁ ଭଲ ପାଆନ୍ତି । ପ୍ରଥମେ ସୁଜିର ଖଳି(ଆଣ) ତିଆରି କରନ୍ତୁ । ଏହାକୁ ପ୍ରସ୍ତୁତ କଲାବେଳେ ପାନମଧୁରୀ ଟିକେ ପାଣିରେ ପକାଇ ଦିଅନ୍ତୁ । ଏହାପରେ ନଡିଆ ପୁର ପ୍ରସ୍ତୁତ କରନ୍ତୁ । ଗୁଡରେ ନଡିଆ ପୁର ମିଶାଇ ତିଆରି କଲେ ଏହା ବେଶୀ ସ୍ବାଦିଷ୍ଟ ହୋଇଥାଏ । ପୁରରେ ଗୁଜୁରାତି ଗୁଣ୍ତ, କାଜୁ, ଛେନା, ଗୋଲମରିଚ ଗୁଣ୍ଡ ଓ କିସମିସ ମିଶାନ୍ତୁ । ପରେ ଉକ୍ତ ସୁଜି ଖଳିରେ ପୁର ଦେଇ ପିଠା ପ୍ରସ୍ତୁତ କରନ୍ତୁ। କଡେଇରେ ତେଲ ଗରମ କରି ଏହାକୁ ବାଦାମୀ ରଙ୍ଗ ହେବା ଯାଏଁ ଛାଣନ୍ତୁ । ଥଣ୍ଡା ହେଲା ପରେ ଖାଆନ୍ତୁ ।
ମୁଆଁ ପିଠା:
ଏହା ଏକ ଏମିତି ପିଠା, ଯାହାକୁ ଯେତେବେଳେ ନାଇ ସେତେବେଳେ ତିଆରି କରିପାରିବେ । ଚାଉଳ, ବିରି, ନଡିଆ, ତେଲ କିମ୍ବା ଘିଅ ହେଲେ ପିଠା ପ୍ରସ୍ତୁତ । ଏହାକୁ ଆପଣ କଡେଇରେ କିମ୍ବା ପ୍ରେସର କୁକରରେ ତିଆରି କରିପାରିବେ । ପୂର୍ବରୁ ବତୁରା ହୋଇଥିବା ଚାଉଳ ଓ ବିରିକୁ ଭଲଭାବେ ବାଟି ଦିଅନ୍ତୁ । ଏହାପରେ ଏଥିରେ ନଡିଆ କୋରା, ଛେନା, କିସମିସ୍, କାଜୁ, ବାଦାମ, ଅଳ୍ପ ଖାଇବା ସୋଢା, ଚିନିକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । କିଛି ସମୟ ରଖି ଦିଅନ୍ତୁ । କଡେଇରେ କିମ୍ବା ପ୍ରେସରକୁକରରେ ଗୁଆଘିଅ କିମ୍ବା ରିଫାଇନ ତେଲ ଦେଇ ଗରମ କରନ୍ତୁ । ଏହାପରେ ଉକ୍ତ ଆଣକୁ ସେଥିରେ ଢାଳି ଦିଅନ୍ତୁ । ମଧ୍ୟମ ଆଞ୍ଚରେ ରଖି କିଛି ସମୟ ପାଇଁ ଛାଡି ଦିଅନ୍ତୁ । ପିଠାରୁ ଧୀରେ ଧୀରେ ବାସ୍ନା ଆସିବା ପରେ ପିଠାର ମଝିରେ ଛୁରୀ ପୁରାଇ ଦେଖନ୍ତୁ । ଯଦି ଛୁରୀରେ କିଛି ଲାଗି ନ ଥାଏ, ତେବେ ଆପଣଙ୍କ ମୁଆଁ ପିଠା ପ୍ରସ୍ତୁତ । ମନମୁତାବକ କାଟି ସମସ୍ତଙ୍କୁ ପରଷି ଦିଅନ୍ତୁ ।
ଆରିସା:
ବାହାଘର ହେଉ କିମ୍ବା ବ୍ରତଘର, ଜନ୍ମଦିନ ହେଉ କିମ୍ବା ଦୋଳ ପୂର୍ଣ୍ଣିମା, ସବୁଥିରେ ଆରିସା ପ୍ରସ୍ତୁତ ହୋଇଥାଏ । ଏହାକୁ ଏକ ପାର୍ବଣିକ ପିଠା କହିଲେ ଅତ୍ୟୁକ୍ତି ହେବ ନାହିଁ । ରଜ କିଛି ଦିନ ଆଗରୁ ଏହି ପିଠା ତିଆରି ହୋଇଥାଏ । ଏହି ପିଠାକୁ ବହୁତ ଦିନ ପର୍ଯ୍ୟନ୍ତ ସାଇତି ରଖାଯାଇଥାଏ। ଏହା ସମ୍ପୂର୍ଣ୍ଣ ତେଲରେ ପ୍ରସ୍ତୁତ ହୋଇଥିବାରୁ ଏହା ଖରାପ ହୋଇ ନ ଥାଏ । ଗୁଡ ବ୍ୟତୀତ ଏହାକୁ ଚିନିରେ ମଧ୍ୟ ତିଆରି କରାଯାଇଥାଏ । କିନ୍ତୁ ଚିନି ଅପେକ୍ଷା ଏହା ଗୁଡରେ ବେଶ୍ ସ୍ବାଦିଷ୍ଟ ଲାଗିଥାଏ ।