ଓଡିଶା

odisha

ETV Bharat / state

ପାନବରଜ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର, ‘ରାଜ୍ୟ ଯୋଜନା’ରେ ମିଳିବ ଆର୍ଥିକ ସହାୟତା - ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା

ପାନବରଜ ଓ କିଆଫୁଲ ଚାଷୀଙ୍କ ପାଇଁ ପୂଜା ଭେଟି ଦେଲେ ରାଜ୍ୟ ସରକାର । ସେମାନଙ୍କୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା । ଅଧିକ ପଢ଼ନ୍ତୁ

financial support to farmers
ପାନବରଜ ଓ କିଆଫୁଲ ଚାଷୀଙ୍କୁ ସହାୟତା

By ETV Bharat Odisha Team

Published : Sep 17, 2023, 5:11 PM IST

ଭୁବନେଶ୍ବର:ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର । ସେମାନଙ୍କୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷର ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ ସହାୟତା ପ୍ରଦାନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ସହାୟତା ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଓ କିଆ ଫୁଲ ଚାଷୀଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ନେଇ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ଯାହାର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ସମବାୟ ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ, ସବୁ ପାନ ଚାଷୀମାନଙ୍କୁ ସ୍ବତନ୍ତ୍ର ଫଳ ଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଅତି କମରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ । ପାନ ବରଜ ଥିବା ଚାଷୀମାନଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ ପିଚ୍ଛା ୨ ହଜାର ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ । ଜଣେ ଚାଷୀକୁ ସର୍ବାଧିକ 2ଟି ୟୁନିଟ ପାଇଁ ସହାୟତା ମିଳିବ । ପାନ ଚାଷ ପାଇଁ କିଶାନ କ୍ରେଡିଟ କାର୍ଡ ଜରିଆରେ ବିନା ସୁଧରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ।

ଏହା ବି ପଢନ୍ତୁ...ଜାଗା ମିଶନ ଗରିବ ଲୋକକୁ ଦେଇଛି ସମ୍ମାନ, ନୂଆ ପରିଚୟ: ମୁଖ୍ୟମନ୍ତ୍ରୀ

ପାନ ପତ୍ର ବ୍ୟବସାୟରେ GST ଲାଗୁ ସମ୍ପର୍କରେ GST କମିଶନରଙ୍କଠାରୁ ସ୍ପଷ୍ଟୀକରଣ ମଗାଯିବା ସହିତ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାନ ପତ୍ର ପ୍ରକ୍ରିୟାକରଣ ୟୁନିଟଗୁଡିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବସିଡି ଯୋଗାଇ ଦିଆଯିବ । ଏଥିପାଇଁ ଆପିକଲ ପକ୍ଷରୁ ଏକ DPR ପ୍ରସ୍ତୁତ କରାଯିବ । ସେହିପରି ଗଞ୍ଜାମର କିଆଫୁଲ ଚାଷୀମାନଙ୍କୁ ମଧ୍ୟ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦିଆଯିବ । ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟରୁ କିଆଫୁଲ ଚାଷ ପାଇଁ ଅତିରିକ୍ତ ସହାୟତା ମଧ୍ୟ ଦିଆଯିବ । କିଆଫୁଲ ଚାଷ ସ୍ଥାନଗୁଡିକର ସାଇଣ୍ଟିଫିକ୍‌ ମ୍ୟାପିଂ କରାଯାଇ ଏହି ସହାୟତା ଦିଆଯିବ ।


ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗସ୍ତ ହୋଇଥିବା କିଆଫୁଲ ଫସଲ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ସହାୟତା ଦିଆଯିବ । ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଗଞ୍ଜାମ ଜିଲ୍ଲାପାଳ ମିଳିତ ଭାବେ ମୋଡାଲିଟି ପ୍ରସ୍ତୁତ କରିବେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଆଫୁଲ ପ୍ରକ୍ରିୟାକରଣ ୟୁନିଟକୁ ସାମିଲ କରିବା ପାଇଁ ଯୋଜନାର ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରାଯିବ । ଗଞ୍ଜାମ ଜିଲ୍ଲାରେ କିଆଫୁଲ ଚାଷକୁ ପ୍ରୋତ୍ସାହିତ କରିବାକୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସହାୟତା ନିଆଯିବାକୁ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details