ଭୁବନେଶ୍ବର: ନବୀନ ନିବାସରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ସମେତ 9 ଜିଲ୍ଲା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସାମିଲ ହୋଇଛନ୍ତି । ଏସଡିସି ଅନ୍ତର୍ଭୁକ୍ତ ଜିଲ୍ଲାରେ ବସବାସ କରୁଥିବା ଜାତି ଓ ଜନଜାତି ଲୋକଙ୍କ ବିକାଶ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକ ପରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ କହିଛନ୍ତି ଯେ, 9ଟି ଜିଲ୍ଲାରେ ରହୁଥିବା ଆଦିବାସୀଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ନେଇ ବିସ୍ତୃତ ଆଲୋଚନା ହୋଇଛି । ଆଦିବାସୀଙ୍କ ଲାଗି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆଦିବାସୀଙ୍କ କଳା, ସଂସ୍କୃତି ଓ ପରମ୍ପରା ବଞ୍ଚାଇ ରଖିବା ଲାଗି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହି ଅଞ୍ଚଳ ଆଦିବାସୀମାନେ ସମାଜର ମୁଖ୍ୟସ୍ରୋତରେ କିପରି ସାମିଲ ହେବେ ଦିବାରାତ୍ର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଦିବାସୀଙ୍କ ଉନ୍ନୟନ ଲାଗି ଯେଉଁ ଅର୍ଥ ମିଳୁଛି, ତାହା କିପରି ସୁଚାରୁ ରୂପେ ବ୍ୟବହାର ହେବ ସେ ନେଇ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।