ଭୁବନେଶ୍ବର: ଆସନ୍ତାକାଲି ମା' ଜଗତଜନନୀଙ୍କ ଦଶହରା ପର୍ବ । ଏନେଇ ସନ୍ଧ୍ୟାରେ ହେବ ରାବଣ ପୋଡି଼ । ଅସତ୍ୟ ଉପରେ ସତ୍ୟର ବିଜୟକୁ ଦେଖାଇବାକୁ ଆୟୋଜିତ ଏହି ରାବଣ ପୋଡି଼ ଉତ୍ସବ ହେବ। ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠୁଛି ରାଜଧାନୀ । ଚଳିତ ବର୍ଷ ଦାରୁଠେଙ୍ଗରେ ହୋଇଛି ସବୁଠୁ ବଡ଼ ୧୦୦ ଫୁଟର ରାବଣ । ଦଶହରାରେ ସବୁଠୁ ମୁଖ୍ୟ ଆକର୍ଷଣ ରହିଥାଏ ରାବଣ ପୋଡି଼ । ରାବଣ ପୋଡି଼ ପାଇଁ ରାବଣ ତିଆରି କରିବାରେ ବ୍ୟସ୍ତ କାରିଗର । ପରିବାରର କୌଳିକ ବୃତ୍ତିକୁ ଆପଣାଇ ଦୀର୍ଘ 35 ବର୍ଷ ଧରି ଏହି ରାବଣ ତିଆରି କରିଆସୁଛନ୍ତି ।
ଆସନ୍ତାକାଲି ରାବଣ ପୋଡ଼ି । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଦଶହରା ଆସିଲେ ରାବଣ ପୋଡି କଥା ମନକୁ ଆସେ । କୋରୋନା କଟକଣା ଭିତରେ ୨ ବର୍ଷ ଧରି ସବୁ କିଛି ଠପ ହୋଇ ପଡ଼ିଥିଲା । ଗତ ବର୍ଷଠାରୁ କୋରୋନା କଟକଣା ହଟିଥିଲା । ଏହାସହ ରାବଣ ପୋଡିକୁ ମଧ୍ୟ ଅନୁମତି ମିଳିଛି । ଦୁର୍ଗାପୂଜା ସାଙ୍ଗକୁ ଆସନ୍ତାକାଲି ରାବଣ ପୋଡ଼ି ଉତ୍ସବକୁ ଉପଭୋଗ କରିବେ ଭୁବନେଶ୍ଵରବାସୀ । ଏଥର ରାଜଧାନୀର ଅନେକ ସ୍ଥାନରେ ରାବଣ ପୋଡି ଆୟୋଜନ କରାଯାଇଛି । ବରମୁଣ୍ଡା, ଝାରପଡା, ନହରକଣ୍ଟା ଓ ନୟାପଲ୍ଲୀ ଏବଂ ଦାରୁଠେଙ୍ଗ ଅଞ୍ଚଳରେ ରାବଣ ପୋଡି ସହ ଆତସବାଜିର ଆୟୋଜନ କରାଯାଇଛି । ଅଘଟଣକୁ ରୋକିବା ପାଇଁ ଆମ୍ବୁଲାନସ, ଫାୟର ବ୍ରିଗେଡ୍ ଏବଂ ପୋଲିସ କର୍ମୀ ସଜାଗ ରହିଛନ୍ତି । ସେପଟେ ଡାକବଙ୍ଗଳା ଛକ ପଣସ କୋଟାର ଏକ ପରିବାର ରାବଣ ପୋଡ଼ି ପାଇଁ ରାବଣ ତିଆରି କରି ଆସୁଛନ୍ତି । ଏହି ରାବଣ ତିଆରି ପାଇଁ ପ୍ରାୟ ଦେଢ଼ ମାସ ସମୟ ଲାଗିଥାଏ । ବରମୁଣ୍ଡା ପୂଜା କମିଟି ୮୦ ମିଟର ଉଚ୍ଚତାର ତିଆରି କରୁଥିବା ବେଳେ ଚଳିତ ବର୍ଷ ଦାରୁଠେଙ୍ଗ ଠାରେ ୧୦୦ ଫୁଟ ଉଚ୍ଚତାର ରାବଣ ପ୍ରସ୍ତୁତ କରୁଛନ୍ତି । ଯାହା ସବୁଠାରୁ ବଡ ବୋଲି କହିଛନ୍ତି କାରିଗର ।