ଖୋର୍ଦ୍ଧା: ଗରିବ ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । ଏହି ସବୁ ଯୋଜନା କରି ରାଜ୍ୟ ସରକାର ବାହାବା ନେଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ ଯୋଜନା । ସରକାର ଯୋଜନା କହିଲେ କେବଳ ଚାଉଳ ଓ ଭିନ୍ନକ୍ଷମ ଭତ୍ତା ଦେଇ ନିଜର ଦାୟିତ୍ଵ ସାରି ଦେଇଛନ୍ତି ପ୍ରଶାସନ । ବାରମ୍ବାର ଦରଖାସ୍ତ କରି ମଧ୍ୟ ଦିବ୍ୟାଙ୍ଗକୁ ଟ୍ରାଏ ସାଇକେଲଟି ମିଳିନାହିଁ କି ବ୍ୟବସାୟ ପାଇଁ ଆର୍ଥିକ ସହାୟତା ମଧ୍ୟ ମିଳିନାହିଁ । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାନରାଉତପଡା ଗ୍ରାମପଞ୍ଚାୟତ ମୂଳିଝର ଗ୍ରାମର ଦିବ୍ୟାଙ୍ଗ ଯୁବକ ବାହୁଡା ସାହୁଙ୍କ କଥା ।
ମୂଳିଝର ଗ୍ରାମର କାର୍ତ୍ତିକ ସାହୁ ଓ ରଜନୀ ସାହୁଙ୍କ ଏକ ମାତ୍ର ପୁଅ ବାହୁଡା ସାହୁ । ଜନ୍ମ ହେବା ଦିନ ଠାରୁ ସେ ଦିବ୍ୟାଙ୍ଗ । ତେବେ ବାହୁଡାକୁ ଏବେ ୨୩ବର୍ଷ । ସେ ରୋଜଗାର କରି ବାପା ମାଆଙ୍କୁ ପୋଷୁଛନ୍ତି । ଘର ନିକଟରେ ଦୋକାନ ଖୋଲିଛନ୍ତି । ଦୋକାନରେ ସେ ବସି ଲୋକମାନଙ୍କୁ ଜିନିଷପତ୍ର ଦେବା ସହିତ ପଇସା ମଧ୍ୟ ଦେଣନେଣ କରନ୍ତି । ଚଲାବୁଲା କରିପାରନ୍ତି ନାହିଁ ବାହୁଡା ଗୋଟିଏ ଯାଗାରୁ ଅନ୍ୟ ଗୋଟିଏ ଯାଗାକୁ ହେଲେ ଅନ୍ୟର ସହାୟତା ନିଅନ୍ତି । ବାହୁଡାକୁ ଟେକିକି ନେବାକୁ ପଡିଥାଏ । ହେଲେ ବାହୁଡା ଟ୍ରାଏ ସାଇକେଲଟେ ପାଇଁ ବାରମ୍ବାର ଦରଖାସ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାଇକେଲ ଖଣ୍ଡେ ମିଳିନି ।